ରାୟଗଡ଼ା: ୧୪ ବର୍ଷର ଯୁବତୀ । ଦେଖିବାକୁ ଭାରି ସୁନ୍ଦର । ଆଉ ତାଙ୍କ ସୁନ୍ଦରତାରେ ମୋହିତ ହୋଇ ତିନି ଯୁବକ ଏକ ତରଫା ପ୍ରମେ କରୁଥିଲେ । ବିବାହ ପ୍ରସ୍ତାବ ବି ଦେଇଥିଲେ । ହେଲେ ଯୁବତୀ ଜଣଙ୍କ ସମସ୍ତଙ୍କୁ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରି ଦେଇଥିଲେ । ଯେଉଁଥିରେ ରାଗ ଜର୍ଜରିତ ହୋଇ ତିନି ଜଣ ମିଶି ଯୁବତୀଙ୍କୁ ମାରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ।
ଅଭିଯୋଗ ଅନୁସାରେ, ଡୁଙ୍ଗୁରିପାଲି ଗାଁର ନାବାଳିକାଙ୍କ ପରିବାର ଗରିବ ଶ୍ରେଣୀର । ସେ ବାପାଙ୍କ ସହିତ କାମ ଦାମ କରୁଥିଲେ । ଯାହା ରୋଜଗାର କରୁଥିଲେ, ସେଥିରେ ପରିବାର ଚଳିଯାଉଥିଲା । ହେଲେ ନାବାଳିକା ଥିଲେ ବହୁତ ସୁନ୍ଦର । ସେଥିପାଇଁ ତାଙ୍କୁ ୩ ଜଣ ଯୁବକ ଏକ ତରଫା ପ୍ରେମ କରୁଥିଲେ । ହେଲେ କାହାର ଭଲ ପାଇବାକୁ ସ୍ୱୀକୃତି ଦେଉ ନଥିଲେ ନାବାଳିକା । ବିବାହ କରିବେ ନାହିଁ ବୋଲି ରୋକ୍ଠୋକ୍ ଭାବେ ଜଣାଇ ଦେଇଥିଲେ । ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ । ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଗତକାଲି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଇଥିଲେ । ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ୍ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।