ବୋମା ଭର୍ତ୍ତି ବ୍ୟାଗ ଜବତ, ପୋଲିସକୁ ଦେଖି ଅଭିଯୁକ୍ତ ଚମ୍ପଟ


ବ୍ରହ୍ମପୁର: ନିର୍ମାଣାଧୀନ କୋଠାକୁ ଉଡ଼ାଇ ଦେବାକୁ ଯୋଜନା । ରଖାଯାଇଥିଲା ବ୍ୟାଗ ଭର୍ତ୍ତି ବୋମା । ଯାହା ବିସ୍ଫୋରଣ ଘଟିଥିଲେ, ପୂରା ଭିଲ୍ଡିଂ ତ ଉଡ଼ି ଯାଇଥାନ୍ତି, କେତେ ଲୋକଙ୍କ ଜରବନ ଯାଇଥାନ୍ତି ତାହା କହିବା ମୁସ୍କିଲ । ତେବେ ବଡ଼ ଧରଣର ବିସ୍ଫୋରଣ ପୂର୍ବରୁ ପୋଲିସ ପହଞ୍ଚି ଯାଇ ସବୁ ବୋମାକୁ ନିଷ୍କ୍ରିୟ କରିଛି । ବ୍ୟାଗରେ ୩୦ଟି ଜୀବନ୍ତ ବୋମା ଥିବା ଜଣାପଡ଼ିଛି । ସେପଟେ ପୋଲିସକୁ ଦେଖି କିଛି ଯୁବକ ଦୌଡ଼ି ପଳାଇଥିଲେ । ସେମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆରେ ଘଟିଛି ।

କିଛି ଦିନ ହେଲାଣି ବ୍ରହ୍ମପୁରରେ ଅପରାଧମୂଳକ ଘଟଣା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ଲକିଂ କରି କଡ଼ା ଯାଞ୍ଚ କରାଯାଉଥିବା ବେଳେ ସହର ବାହାରେ ଥିବା ନିର୍ମାଣାଧୀନ ଘର ବି ତଲାସୀ କରାଯାଉଛି । କାରଣ ଅପରାଧିମାନେ ଏପରି ଘରକୁ ଟାର୍ଗେଟ କରୁଛନ୍ତି । ସେଠାରେ ସେମାନେ ନିଜ ଆଡ୍ଡା ଜମାଇବା ସହ ବିଭିନ୍ନ ଅପରାଧ ଘଟାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏପରି ସୂଚନା ପାଇ ପୋଲିସ୍‌ ଦୁଇ ଦିନ ତଳେ ପାଟ୍ରୋଲିଂ କରୁଥିବା ବେଳେ ଖଜୁରିଆରେ ଏକ ନିର୍ମାଣାଧୀନ ଘରେ ଚଢ଼ାଉ କରିଥିଲା । ପୋଲିସ୍‌କୁ ଦେଖି ଉକ୍ତ ଘରେ ଥିବା କିଛି ଯୁବକ ଦୌଡ଼ି ପଳାଇଥିଲେ । ଏହାପରେ ପୋଲିସ୍‌ ଉକ୍ତ ଘର ଖାନତଲାସୀ କରି ଏକ ବ୍ୟାଗ୍‌ ଭର୍ତ୍ତି ବୋମା ଜବତ କରିଥିଲା । ଖବର ପାଇ ଆଜି ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ଉକ୍ତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିଛନ୍ତି ।