ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ରାଗିଂ ଅଭିଯୁକ୍ତ ଛାତ୍ର ଅନାଥାଶ୍ରମରେ ସପ୍ତାହେ କରିବେ ସେବା


କଟକ: ରାଗିଂ ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ରାୟ । ଅଭିଯୁକ୍ତ ଆଇନ ଛାତ୍ରଙ୍କୁ ଅନାଥାଶ୍ରମରେ ସପ୍ତାହେ ଯାଏଁ ସ୍ବେଚ୍ଛାସେବୀ ଭାବେ ପାଠ ପଢାଇବାକୁ ନିର୍ଦ୍ଦେଶ ।

ଭୁବନେଶ୍ୱରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟରଙ୍କୁ ରାଗିଂ କରିଥିବା ନେଇ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଅଭିଯୋଗ ହୋଇଥିଲା । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ମାମଲା ବିଚାରାଧୀନ ଥିବା ସମୟରେ ଶୁଭେଚ୍ଛୁ ଓ ଅଭିଭାବକଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ହୋଇଛି ବୋଲି ଦର୍ଶାଇ ମାମଲା ଖାରଜ କରିବାକୁ ସମ୍ପୃକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହି ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି, ଆଇନ ଛାତ୍ର ଭାବେ ଆବେଦନକାରୀଙ୍କ ପରି ଆଚରଣ ଅଶୋଭନୀୟ ଥିଲା । ଆଇନଗତ ଜ୍ଞାନ ବାଦ ଜଣେ ଆଇନଜୀବୀ ଦୁର୍ବଳଙ୍କ ନିମିତ୍ତ କାର୍ଯ୍ୟ କରିବେ, ନ୍ୟାୟର ରକ୍ଷକ ହେବେ ଓ ପାଟି ଖୋଲି ପାରୁ ନଥିବା ବ୍ୟକ୍ତିଙ୍କ ସ୍ୱର ହେ‌ବେ ବୋଲି ଆଶା କରାଯାଏ । ମାତ୍ର କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ଆଚରଣ ଆପତ୍ତିଜନକ ବୋଲି ହାଇକୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଏହାସହ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ସପ୍ତାହେ ପାଠ ପଢାଇବାକୁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆଇନ ଛାତ୍ର ନିଜ ପସନ୍ଦର ଅନାଥାଶ୍ରମରେ ଶିକ୍ଷାଦାନ ସହ କର୍ମଶାଳା ଆୟୋଜନ କରିବେ । ଅନୁଷ୍ଠାନ ମୁଖ୍ୟଙ୍କଠାରୁ ଏ ସଂକ୍ରାନ୍ତୀୟ ପ୍ରମାଣପତ୍ର ଆଣି ଚାରି ସପ୍ତାହ ମଧ୍ୟରେ ହାଇକୋର୍ଟରେ ଦାଖଲ କରିବେ । ହାଇକୋର୍ଟ କହିଛନ୍ତି, ଏପରି ଅନୁଭବ ଆବେଦନକାରୀଙ୍କୁ ସକରାତ୍ମକ ଦିଗରେ ନେବ । ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।