କଟକ: ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପକୁ ଗ୍ରୀନ ସିଗ୍ନାଲ। ପ୍ରଥମ ପର୍ଯ୍ୟାୟରେ ମହାନଦୀ କୂଳର ୩.୫ କିମିର ହେବ ବିକାଶ । ୩୮ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ସାବରମତୀ ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ରିଭରଫ୍ରଣ୍ଟରେ ରହିବ ପାର୍କ, ଇକୋ ଜୋନ୍, ସାଂସ୍କୃତିକ କେନ୍ଦ୍ର, ଐତିହ୍ୟ ଗ୍ରାମ ଭଳି ଅନେକ ସୁବଧା । ସବୁକିଛି ଜାତୀୟ ଗ୍ରୀନ୍ ଟ୍ରିବୁନାଲ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିୟମ ଅନୁସାରେ ହେବ ବୋଲି କହିଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷ ।
ଆଗେଇଲା ମହାନଦୀ ରିଭରଫ୍ରଣ୍ଟ ଭ୍ୟୁ ପ୍ରକଳ୍ପ । ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରିଭରଫ୍ରଣ୍ଟ ଭ୍ୟୁ ପାଇଁ ଖର୍ଚ୍ଚ ହେବ ୨୨୦ କୋଟି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ସାଢେ ୩ କିଲୋମିଟର ପାଇଁ ୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରକଳ୍ପ ପାଇଁ ପ୍ରସ୍ତୁତ ହୋଇ ସାରିଛି ମାଷ୍ଟର ପ୍ଲାନ । ବନ ବିଭାଗ, ଜଳସମ୍ପଦ ବିଭାଗ, ସିଡିଏ କର୍ତ୍ତୃପକ୍ଷଙ୍କ ସହ କଟକ ଜିଲ୍ଲା ପ୍ରଶାସନ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।
ସାବରମତୀ ରିଭରଫ୍ରଣ୍ଟ ଭଳି ମହାନଦୀ କୂଳର ବିକାଶ ହେବ । ମହାନଦୀ କୂଳର ବିକାଶ ହେଲେ କେବଳ କଟକ ସହର ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏଠାକୁ ଆସିବେ । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ମହାନଦୀର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ । ଓଡ଼ିଶା ହାଟ, ବଟର ଫ୍ଲାଇ ଗାର୍ଡେନ, ଐତିହ୍ୟ ଗ୍ରାମ ଭଳି ୪୫ ପ୍ରକାର ବ୍ୟବସ୍ଥା ରହିବ ରିଭର ଫ୍ରଣ୍ଟ ପ୍ରକଳ୍ପରେ । ଏପରିକି ବାଲିଯାତ୍ରାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ । ଯାହାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ । ମହାନଦୀ କୂଳର ୪୨୬ ଏକର ଜମି ମଧ୍ୟରୁ ବାଲିଯାତ୍ରା ପାଇଁ ବ୍ୟବହୃତ ସ୍ଥାନକୁ ବାଦ ଦେଇ ରିଭର ଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ସର୍ଭେ ମଧ୍ୟ କରିସାରିଛି । କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ମହାନଦୀ ରିଭରଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।