ଭୁବନେଶ୍ବର: ରାଜ୍ୟରେ ଶୀତ କମିବା ସହ ବଢ଼ିବ ତାପମାତ୍ରା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଗୁରୁବାରଠାରୁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରାଯାଇଛି ।
ଗତ ଦୁଇ ଦିନ ହେବ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ବଢିବ । ଗତ ୨୪ ଘଣ୍ଟାରେ ନୂଆପଡା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା କମ୍ ରହିବ ।
୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୩ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହେବା ନେଇ ସତର୍କତା ଜାରି କରାଯାଇଛି ।
କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ଘନ କୁହୁଡି ସମ୍ଭାବନା ଥିବାରୁ ଘାଟି ରାସ୍ତା ଓ ଦୁର୍ଘଟଣା ପ୍ରବଳ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ହାଲୁକା ଶୀତ ଅନୁଭୁତ ହେବ । ବିଶେଷ କରି କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡା, ସୁବର୍ଣ୍ଣପୁର, କୋରାପୁଟ, ନବରଙ୍ଗପୁରରେ ହାଲୁକା ଶୀତ ଅନୁଭୁତ ହେବ ।