ସୁକମା: ଛତିଶଗଡ଼ ସୁକମା ଜିଲ୍ଲାର ମେଟାଗୁଡ଼େମ୍ ଓ ଦୁଲେର ଗାଁ ନିକଟର ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ଏହାସହ ବନ୍ଧୁକ ତିଆରି ସାମଗ୍ରୀ ସହିତ ବହୁତ ବିସ୍ଫୋରକ, ଆଇଇଡି ଓ ବୋମା ଜବତ କରିଛନ୍ତି ସୁରକ୍ଷାକର୍ମୀ । ସିଆରପିଏଫ୍ ଓ କୋବ୍ରା ବାଟାଲିୟନର କମ୍ଵିଂ ବେଳେ ଏହି ବନ୍ଧୁକ ତିଆରି କାରଖାନା ଓ ଅସ୍ତ୍ରାଗାରର ସନ୍ଧାନ ପାଇଥିଲେ ।
୨୧ଟି ଆଇଇଡି ମିଳିଛି, ସାବୁନ କେସରେ ଏହାକୁ ରଖାଯାଇଥିଲା । ଏହା ସହିତ ମଲଟି ବ୍ୟାରେଲ ଗ୍ରେନେଡ ଲଞ୍ଚର, ବୋମା, ଜେନେରେଟର, ବନ୍ଧୁକ ତିଆରି ସାମଗ୍ରୀ, ମେଡିକାଲ ସାମଗ୍ରୀ ମିଳିଛି । ଏତେ ଅସ୍ତ୍ରଶସ୍ତ୍ର, ସେଥିରେ ପୁଣି ବନ୍ଧୁକ ତିଆରି ସାମଗ୍ରୀ ମିଳିଥିବାରୁ ନକ୍ସଲମାନେ ନିଜେ ବନ୍ଧୁକ ତିଆରି କରୁଥିଲେ ବୋଲି ସନ୍ଦେହ କରାଯାଉଛି । ଏସବୁ ଧରା ପଡ଼ିବା ଦ୍ଵାରା ନକ୍ସଲମାନଙ୍କୁ ବଡ଼ ଝଟକା ଲାଗିଛି ।
ଗତକାଲି ହିଁ ଓଡି଼ଶା ସୀମାନ୍ତ ଛତିଶଗଡ଼ର ଗରିଆ ବନ୍ଧରେ ବଡ଼ ଧରଣର ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଏଥିରେ ୧୪ ଜଣ ନକ୍ସଲ ନିହତ ହୋଇଥିଲେ । ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚଲପତି ବି ନିହତ ହୋଇଛନ୍ତି । ଗତକାଲି ଭବାନୀପାଟଣା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି । କାଳେ ଲାଲବାହିନୀ ପ୍ରତିଶୋଧ ପରାୟଣ ହୋଇ ହିଂସାକାଣ୍ଡ ଭିଆଇ ପାରନ୍ତି, ସେଥିପାଇଁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ପୋଲିସ ତଥା ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ ସଜାଗ ଅଛନ୍ତି ।