ଭୁବନେଶ୍ବର: ବରିଷ୍ଠ ନେତା ସ୍ବର୍ଗତ ନବ ଦାସଙ୍କ ହତ୍ୟାକୁ ନେଇ ଗୁମର ଫିଟିବାରେ ଲାଗିଛି । କୋଇଲା ପରିବହନ କ୍ଷେତ୍ରରୁ ନବଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ହତ୍ୟା ପରବର୍ତ୍ତି ତଦନ୍ତଙ୍କୁ ଦିଗହରା କରାଯାଇଛି । ଆଉ ଏହାର ମାଧ୍ୟମ ଖୋଦ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସାଜିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ମୁଖ୍ୟ ସାଖୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ବୟାନରୁ ଏହି ସନ୍ଦେହ ସୃଷ୍ଟି ହୋଇଛି ।
ଶୁଭେନ୍ଦୁଙ୍କ ବୟାନ ଅନୁସାରେ କ୍ରାଇମବ୍ରାଞ୍ଚ ରିପୋର୍ଟରେ ସେ ଧଳା ରଙ୍ଗର ସାର୍ଟ ପିନ୍ଧି ଥିବା ଉଲ୍ଲେଖ ରହିଛି । ହେଲେ ଘଟଣା ଦିନ ସେ ହଳଦିଆ ରଙ୍ଗର ସାର୍ଟ ପିନ୍ଧି ଥିଲେ ଓ ଉକ୍ତ ସାର୍ଟକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ତେବେ ରିପୋର୍ଟରେ କାହିଁକି କ୍ରାଇମବ୍ରାଞ୍ଚ ତଥ୍ୟ ବଦଳାଇଛି ସେ ବିଷୟରେ କିଛି ଜାଣି ନଥିବା କହିଛନ୍ତି ଶୁଭେନ୍ଦୁ ।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀଜ ୨୯ରେ ନବ କିଶୋର ଦାସଙ୍କ ହତ୍ୟା ପରେ, ୨୦୨୩ ଫେବ୍ରୁଆରି ୩ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ରେକର୍ଡ ବୟାନରେ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିଥିବା ଉଲ୍ଲେଖ ହୋଇଥିଲା । ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ । ଫେବ୍ରୁଆରୀ ୩ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ‘ପ୍ରପର୍ଟି ସିଜର୍ ମେମୋ’ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମେମୋକୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ହିଁ ପୂରଣ କରିଥିଲେ । ମେମୋରେ ଶୁଭେନ୍ଦୁ ପଟ୍ଟନାୟକଙ୍କ ରକ୍ତଲଗା ହଳଦିଆ ରଙ୍ଗର ହାଫସାର୍ଟ ଜବତ କରାଯାଇଥିବା ଉଲ୍ଲେଖ ରହିଛି ।
ହେଲେ ନବଙ୍କୁ ଗୁଳିମାଡ଼ ଘଟଣାରେ ହୋଇଥିବା ଭିଡିଓ ଗୁଡ଼ିକରେ ଶୁଭେନ୍ଦୁ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ପ୍ରମାଣ ରହିଛି । କ୍ରାଇମବ୍ରାଞ୍ଚ ବୟାନ୍ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଲା ? କାହା ଚାପରେ ଏହି ମିଛ ତଥ୍ୟ ରିପୋର୍ଟରେ ଭରାଗଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।