ଭୁବନେଶ୍ବର: ବିଜେଡି ପରାଜୟର ଅନ୍ୟତମ କାରଣ କୁହାଯାଉଥିବା ଭି.କେ. ପାଣ୍ଡିଆନଙ୍କ ପିଛା ଛାଡୁନି ବିବାଦ । ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି କିଛି ନା କିଛି କାରଣ ପାଇଁ ତାଙ୍କ ନାଁ ବିବାଦ ମଧ୍ୟକୁ ଆସୁଛି । ବିଜେଡି ପରାଜୟ ପରେ ସକ୍ରିୟ ରାଜନୀତିରୁ ପାଣ୍ଡିଆନ ଅବସର ଘୋଷଣା କରିଥିଲେ ବି ରାଜ୍ୟ ରାଜନୀତିରେ ତାଙ୍କୁ ନେଇ ବିବାଦ ଥମିବାର ନାଁ ନେଉନି । ହେଲିକପ୍ଟରରେ ବୁଲିବା ଓ 5T ଦୁର୍ନୀତିରେ ତାଙ୍କ ନାଁ ଉଠିଥିବା ବେଳେ ନବ ଦାସଙ୍କ ହତ୍ୟା ପଛରେ ତାଙ୍କ ହାତ ଥିବା ଅଭିଯୋଗ ହେଉଛି । ତେବେ ଘଟଣା କେତେ ସତ ତାହା ତ ତଦନ୍ତ ହେଲେ ଜଣାପଡ଼ିବ । ହେଲେ ଏହାକୁ ନେଇ ପାଓ୍ବାର କରିଡ଼ରେ ରାଜନୀତି ଉଷ୍ଣ ହୋଇଥିବା ବେଳେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ବିଜେଡି ପରାଜୟ ପରେ କିଛିଦିନ ଦୃଷ୍ଟି ଆଡୁଅଳରେ ରହିବା ପରେ ଦଳୀୟ କର୍ମୀଙ୍କୁ କ୍ଷମା ମାଗିଥିଲେ ପାଣ୍ଡିଆନ । ଏହାସହ ରାଜନୀତିରୁ ସନ୍ନ୍ୟାସ ନେବା କଥା ମଧ୍ୟ ଘୋଷଣା କରିଥିଲେ । ହେଲେ ତାଙ୍କ ଅତୀତ ତାଙ୍କ ପିଛି ଛାଡୁନି । ହେଲିକପ୍ଟର ବୁଲାବା ହେଉ କି 5T ନାଁରେ ଦୁର୍ନୀତି । ଏହି ଦୁଇ ପ୍ରସଙ୍ଗକୁ ନେଇ ସେତେବେଳର ବିରୋଧୀ ଦଳ ବିଜେପି ଓ କଂଗ୍ରେସ ତାଙ୍କୁ ଘେରିଥିଲା । ଆଉ ଏବେ ପୁଣି ନବ ଦାସ ହତ୍ୟା ପଛରେ ପାଣ୍ଡିଆନଙ୍କ ହାତ ଥିବା ସିଧାସିଧା ନକହି ମଧ୍ୟ ବୁଲାଇ ବଙ୍କାଇ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଲାଣି ।
ନବୀନ ସେହି ‘ଅନ୍ୟ’ ଜଣଙ୍କ କିଏ ?
ଏବେ କେବଳ ପ୍ରଦୀପଙ୍କ କଥା ପାଣ୍ଡିଆନଙ୍କୁ ବିବାଦକୁ ଟାଣିନି, ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କମେଡି ଇନ୍ ଖାକି ନାମକ ଏକ ବହି ଲେଖି ନବୀନଙ୍କ ନାଁ ନନେଇ ଟାର୍ଗେଟ୍ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରକାଶ କହିଛନ୍ତି ନବୀନ ଜଣେ ନନ-ସିରିୟସ ନେତା । କୌଣସି ନିଷ୍ପତ୍ତି ନିଜେ ନିଅନ୍ତି ନାହିଁ । ଲେଖିକି ରଖନ୍ତି ଓ ପରେ ଅନ୍ୟ ସହ ଆଲୋଚନା କରି ନିଷ୍ପତ୍ତି ନିଅନ୍ତି । ଏଠାରେ ‘ଅନ୍ୟ’ର ଅର୍ଥ ପାଣ୍ଡିଆନ୍ ବୋଲି ଏବେ ଚର୍ଚ୍ଚା ହେଉଛି । ରାଜନୀତିରୁ ପାଣ୍ଡିଆନ୍ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କର ଅତୀତ ତାଙ୍କୁ ଯେମିତି ବାରମ୍ବାର ବିବାଦ ଭିତରକୁ ପୂରାଉଛି । ତେବେ ଏନେଇ ନିଜେ ପାଣ୍ଡିଆନ୍ କି କୌଣସି ବିଜେଡି ନେତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।