କାଲିଠୁ ଉତ୍କର୍ଷ ଓଡ଼ିଶା ମେକଇନ୍ ଓଡ଼ିଶା କନକ୍ଲେଭ ଆରମ୍ଭ, ୩ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା


ଭୁବନେଶ୍ବର: କାଲିଠୁ ଆରମ୍ଭ ହେବ ‘ଉତ୍କର୍ଷ ଓଡ଼ିଶା’ ମେକ ଇନ୍ ଓଡ଼ିଶା କନକ୍ଲେଭ । କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ । ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଶୁଭାରମ୍ଭ ହେବ । ୨ଦିନ ଧରି କାର୍ଯ୍ୟକ୍ରମ ଚାଲିବ ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ। ‌ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍‌, ଜର୍ମାନୀ, ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ଭଳି ୧୨ଟି ଦେଶର ନିବେଶକଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି । ଏଥିରେ ଯୋଗ ଦେବେ ଦେଶର ଶହେଟି ଫର୍ଚ୍ୟୁନ-୫୦୦ କମ୍ପାନୀ ।

କନ୍‌କ୍ଲେଭ୍‌ର ସହଯୋଗୀ ଥିବା ଭାରତୀୟ ଶିଳ୍ପ ସଂଘ (CII)ର ଜାତୀୟ ପରିଷଦର ପ୍ରାୟ ୨୦୦ ବରିଷ୍ଠ ସଦସ୍ୟ ଓଡ଼ିଶା ଆସୁଛନ୍ତି । ଏହାରୁ ଲାଭ ଉଠାଇବା ଲାଗି ଏହି ଅଧିବେଶନଗୁଡ଼ିକ ଆୟୋଜନ କରିବା ନେଇ ଯୋଜନା ହୋଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହିବେ ।

ଜାନୁଆରୀ ୨୮ ପୂର୍ବାହ୍ନରେ ବିଶିଷ୍ଟ ଶିଳ୍ପପତିମାନେ ଆସିବେ । ଅପରାହ୍ନରେ ପାଞ୍ଚଟି ଅଧିବେଶନ ଆୟୋଜନ କରାଯିବ । କନ୍‌କ୍ଲେଭର ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଆୟୋଜନ କରାଯିବ । ଉଦଯାପନୀ ସମାରୋହରେ ରାଜ୍ୟର ୩୦ଟି ଜିଲ୍ଲାରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ବର୍ଷରୁ କମ୍ ବୟସ୍କ ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ଚୟନ କରାଯିବ । ପ୍ରତି ଜିଲ୍ଲାରୁ ୨ ଜଣ ଲେଖାଏଁ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ । କନକ୍ଲେଭରେ ପ୍ରାୟ ୫ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଏଥିସହ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ।