ଜେଲରେ ଥାଇ ମାଷ୍ଟରମାଇଣ୍ଡ କରାଉଥିଲା ଡକାୟତି


ସମ୍ବଲପୁର: ବହୁ ଚର୍ଚ୍ଚିତ ମଣପୁରମ୍ ଅଫିସ୍ ସୁନା ଓ ଟଙ୍କା ଡକାୟତିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ଜେଲର ଚାରିକାନ୍ଥ ଭିତରୁ । ଜେଲରେ ଥାଇ ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଗ୍ୟାଙ୍ଗ ସଦସ୍ୟଙ୍କ ଦ୍ୱାରା କରାଉଥିଲା ଡକାୟତି । ତାକୁ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି । ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ଅଛି । ସେ ର୍ହିଁ ସମ୍ବଲପୁର ମଣପୁରମ୍ ଅଫିସ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ତା’ର ଅନ୍ୟ ଜଣେ ମୁଖ୍ୟ ସହଯୋଗୀ ସୁବୋଧ ସିଂ, କୋଲକତାର ପ୍ରେସିଡେନ୍ସି ଜେଲରେ ଅଛି । ଜେଲ ଭିତରେ ଥାଇ ବି ଉଭୟେ ନିଜର କ୍ରାଇମ ନେଟୱାର୍କ ଜରିଆରେ, ଦେଶର ବିଭିନ୍ନ ସ୍ଥାନରେ ସୁନା ଓ ଟଙ୍କା ଲୁଟ କରୁଛନ୍ତି ।

ସମ୍ବଲପୁର ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ସମେତ ୮ ଜଣ ପାଟନା ଯାଇଛନ୍ତି । ପାଟନାର ଅତିରିକ୍ତ ସେସନ୍ସ କୋର୍ଟରୁ ମିଳିଥିବା ରିମାଣ୍ଡ ଅନୁମତି ଆଧାରରେ ପୋଲିସ ପଲ୍ଲୁକୁ ୧୦ ଦିନିଆ ରିମାଣ୍ଡରେ ଆଣୁଛି । ପ୍ରଥମେ ଅଭିଯୁକ୍ତ ପଲ୍ଲୁକୁ ସେହି କୋର୍ଟରେ ହାଜର କରାଯାଇ ଅନ୍ୟାନ୍ୟ ଆଇନଗତ ଔପଚାରିକତା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ବଲପୁର ଅଣାଯିବ । 

ରିମାଣ୍ଡ ସମୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଲୁଟ କରିଥିବା ୨୮ କେଜି ସୁନା କେଉଁଠି ଅଛି ତାହାକୁ ବାହାର କରିବାକୁ ଚେଷ୍ଟା କରିବ ପୋଲିସ l ଏହା ମଧ୍ୟରେ ସେହି ଡକାୟତି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।  ଏପଟରେ ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା । ବ୍ୟାଙ୍କରୁ ଲୁଟ ପରେ ଚିନ୍ତାରେ ଗ୍ରାହକ । କାହାର ଝିଅ ବାହାଘର ତ ଆଉ କାହାର ଅନ୍ୟ କାମ । ହେଲେ ସୁନା ଉଠାଇବାକୁ ସମସ୍ୟାରେ ପଡୁଛନ୍ତି ଗ୍ରାହକ । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।