ଭୁବନେଶ୍ବର: ସଂସଦ ବଜେଟ ଅଧିବେଶନ ଲାଗି ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ସନ୍ଧ୍ୟା ୬ଟାରେ ବସିବ ଏହି ବୈଠକ । ସାଂସଦଙ୍କୁ ବିଜେଡି ସଭାପତି ଓ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ରାଜ୍ୟ ସ୍ବାର୍ଥ ଲଢ଼େଇ ପାଇଁ ଚୂଡାନ୍ତ ହେବ ରଣନୀତି ।
ୱାନ ନେସନ ୱାନ ଇଲେକ୍ସନ ଆଭିମୁଖ୍ୟ ନେଇ ଚର୍ଚ୍ଚା କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହେବାକୁ ଥିବା ଏହି ବୈଠକରେ ଦଳର ୭ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ଶୀତ ଅଧିବେଶନରେ ବିଜେଡିର ୭ ସାଂସଦଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ବଜେଟ ଅଧିବେଶନରେ ସାଂସଦ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ କିପରି ଶାଣିତ କରିବେ ତାହା ଉପରେ ବୈଠକରେ ଫୋକସ ରହିବ ।
ରାଜ୍ୟର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସାଂସଦ । ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ବୃଦ୍ଧି ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ରାଜ୍ୟ ସ୍ବାର୍ଥ ସମେତ ବିଜେଡିର ୭ ସାଂସଦ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ମଧ୍ୟ ଶାଣିତ ସ୍ବର ଉପସ୍ଥାପନ କରିବେ ।