ସ୍କୁଲ ଛାତ୍ରଙ୍କୁ ସାପ କାମୁଡ଼ିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ଚାକିରିରୁ ନିଲମ୍ବିତ


ପୁରୀ: ପିପିଲି ପୋପରଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପାଠ ନଆସିବାରୁ ଛାତ୍ରଙ୍କୁ ସ୍କୁଲ ଘର ସଫା କରାଇବା ବେଳେ ନାଗ ସାପ ଚୋଟ ମାରିବା ଘଟଣାରେ ଆକ୍ସନ । ବଦଳି ପରେ ଚାକିରିରୁ ନିଲମ୍ବିତ ହେଲେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ । ପିପିଲି ବିଇଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ପ୍ରଧାନ ଶିକ୍ଷୟିତ୍ରୀ ଓ ଶ୍ରେଣୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ରାଉତଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଥିଲା । ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ସୂଚନାଯୋଗ୍ୟ, ସୋମବାର ଦିନ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ସାଇ କ୍ରୀଷ୍ଣା ପ୍ରଧାନଙ୍କ ସମେତ କିଛି ଛାତ୍ର କିଛି ପିଲା ପାଠ କହିପାରି ନଥିଲେ । ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ । ପିଲାମାନେ ସ୍କୁଲ ଘର ସଫା କରିଥିଲେ । ଏହି ସମୟରେ ଏକ ନାଗ ସାପ ସାଇକ୍ରିଷ୍ଣାଙ୍କୁ ଚୋଟ ମାରିଥିଲା । ସାପ କାମୁଡ଼ିବା ପରେ ସାଇ ଜୋରରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସମସ୍ତେ ଦୌଡ଼ି ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା ।