ପାରାଦୀପ: ପ୍ରହସନ ପାଲଟିଛି ସବର୍ଶିକ୍ଷା ଅଭିଯାନ । ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ହେଲେ ପାଠ କରି ନଥବାରୁ ଗୋଟିଏ ସପ୍ତାହରେ ରାଜ୍ୟରେ ଦୁଇଟି ସ୍କୁଲରୁ ଦୁଇଟି କୋମଳମତି ଛାତ୍ରଙ୍କୁ ଦିଆଯାଇଛି ନିର୍ଯାତନା । ପ୍ରଥମ ଛାତ୍ର ଜଣଙ୍କ ମରୁ ମରୁ ବଞ୍ଚି ଥିବା ବେଳେ ଏବେ ଆଉ ଜଣେ ଛାତ୍ର ଶିକ୍ଷୟିତ୍ରୀଙ୍କ ମାଡ଼ରେ ଦରମଲା ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।
କିଛିଦିନ ତଳେ ଆମେ ଖବର ପ୍ରକାଶ କରିଥିଲୁ, ପାଠ କହି ନପାରିବାରୁ ଜଣେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ସ୍କୁଲ ଘର ସଫା କରାଇଥିଲେ । ଏହି ସମୟରେ ଏକ ନାଗ ସାପ ପିଲାଟିକୁ ଚୋଟ ମାରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ଏବେ ପାରାଦୀପ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରୁ ଛାତ୍ରଙ୍କୁ ମାଡ ମରାଯିବାର ଆଉ ଏକ ଘଟଣା ସମ୍ନାକୁ ଆସିଛି ।
ଜଣେ ତୃତୀୟ ଶ୍ରେଣୀ ଛାତ୍ର ଗଣିତ କରି ନଥିବାରୁ ଶିକ୍ଷୟିତ୍ରୀ ତାଙ୍କୁ ନିର୍ଧୁମ ମାଡ଼ କାରିଥିବା ଅଭିଯୋଗ ହୋଇଛି । ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ମାଡ଼ରେ ପିଲାଟିର ଗୋଡ଼ ସିଝିଯାଇ କଳା ପଡ଼ିଯାଇଛି । ତେବେ ଏହି ମାଡ଼ ଅଭିଯୋଗକୁ ସ୍କୁଲ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ସ୍କୁଲକୁ ପଚାରିବାକୁ ଯାଇଥିବା ଛାତ୍ରଙ୍କ ବାପାଙ୍କୁ ସ୍କୁଲ ପ୍ରିନ୍ସପାଲ୍ ବିଦା କରି ଦେଇଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ପରେ ଛାତ୍ରର ଡାକ୍ତରୀ ପରୀକ୍ଷା ସହ ତଦନ୍ତ ଜାରି ରଖିଛି ପୋଲିସ । ମାଡ଼ ଅଭିଯୋଗକୁ ସ୍କୁଲ୍ ପ୍ରିନ୍ସପାଲ୍ ସ୍ବୀକାର କରିଥିବାବେଳେ ଛାତ୍ରଙ୍କ ବାପାଙ୍କୁ ସ୍କୁଲରୁ ବାହାର କରିବା କଥାକୁ ଅସ୍ବୀକାର କରିଛନ୍ତି ।