ସମ୍ବଲପୁର: ମାନସିକ ଅନଗ୍ରସର ସୁଧାର ଗୃହ ‘ସମର୍ଥ’ରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ । ପୋଲିସ ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ । ଏହାସହ ଦୁଷ୍କର୍ମ ଅଭିଯୋଗ ମାମଲାରେ ମେଡିକାଲ ଚେକଅପ ହେବ । ୬ ଜଣ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ପଚରାଉଚରା କରାଯିବ ।
ଗତ ଗୁରୁବାର ଦିନ ଏହି ମାମଲାରେ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିଥିଲେ ଉପଜିଲ୍ଲାପାଳ । ଘଟଣାରେ ସମର୍ଥ ଅଧ୍ୟକ୍ଷ ହରିଶଚନ୍ଦ୍ର ଦାସଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀଙ୍କ କାର୍ଯ୍ୟକଳାପ ଓ ଆର୍ଥିକ କାରବାର ଉପରେ ବି ତଦନ୍ତ ହୋଇଛି । ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ମରାଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା ।
ସୂଚନାଯୋଗ୍ୟ, ସମ୍ବଲପୁର ନେତାଜୀ ନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ଅମାନୁସିକ ନିର୍ଯାତନା ଘଟଣାର ତନାଘନା ଜୋରସୋରରେ ଚାଲିଥିବା ବେଳେ । ବୁଧବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପାରମାର ପ୍ରମୁଖଙ୍କ ସହିତ ତଦନ୍ତକାରୀ ଅଧିକାରୀମାନେ ଉକ୍ତ କେନ୍ଦ୍ରରେ ଖୋଳତାଡ଼ କରିଥିଲେ । ତେବେ ବର୍ତ୍ତମାନ ଉକ୍ତ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ସଂଖ୍ୟା କେତେ, କେତେଜଣ ନାମ ପଞ୍ଜିକରଣ ହୋଇଛି ତାହା ମଧ୍ୟ ଖୋଳତାଡ ହୋଇଥିଲା । ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମୃତ୍ୟୁ ହୋଇଛି ସେମାନଙ୍କ ଠିକଣା ଆଦିକୁ ନେଇ ତଦନ୍ତ କରିଥିଲେ । ମାତ୍ର ଅନ୍ତେବାସୀଙ୍କ ନାମ ଠିକଣା ଅଦି ପଞ୍ଜୀକରଣ ହୋଇଥିବା ରେଜିଷ୍ଟ୍ରାର ମିଳି ନଥିଲା । ଏପରିକି ଏକ ଅସମର୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଏହି ସମୟରେ ଉପସ୍ଥିତ ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ମଧ୍ୟ ରେଜିଷ୍ଟାର ବାବଦରେ କିଛି ଜାଣି ନଥିବା କହିଥିଲେ । ପୋଲିସ ପକ୍ଷରୁ ତଦନ୍ତ ସମୟରେ ସଂସ୍ଥାର ଅଫିସ ରୁମରେ ଥିବା ଏକ ଆଲମାରି ଖୋଲିବାକୁ କହିବାରୁ କର୍ମଚାରୀ ଜଣକ ତାଙ୍କ ନିକଟରେ ଚାବି ନଥିବା କହିଥିଲେ । ତେଣୁ ଗୁରୁବାର ସନ୍ଧ୍ୟାରେ ଜଣେ ଅତିରିକ୍ତ ମାଜିଷ୍ଟ୍ରେଟ୍ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦଙ୍କ ଉପସ୍ଥିତିରେ ଉକ୍ତ ଆଲମିରାକୁ ପୋଲିସ ପକ୍ଷରୁ ଭଙ୍ଗା ଯାଇଛି । ସେଥିରୁ କି ତଥ୍ୟ ମିଳିଛି ତାହା ସ୍ପଷ୍ଟ ହୋଇନାହିଁ ।ସେହିପରି ଜଣେ ଅନ୍ତେବାସୀଙ୍କ ପକ୍ଷରୁ ତାଙ୍କୁ କେନ୍ଦ୍ରରେ ବାରମ୍ବାର ବଳାତ୍କାର କରାଯାଇଥିବା ଅଭିଯୋଗ ମଧ୍ୟ୍ୟ ସାମ୍ନାକୁ ଆସିଥିଲା । ଏପରିକି ତାଙ୍କର ଗର୍ଭପାତ ମଧ୍ୟ କରାଯାଇଛି ବୋଲି ଅଭିଯୋଗ ହେବା ପରେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।