କଟକ: ଆସନ୍ତା ୯ ତାରିଖ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବ । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଗତକାଲି ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ପ୍ରଥମେ ସର୍ଭର ସ୍ଲୋ ରହିବାରୁ ଦର୍ଶକ ନିରାଶ ହୋଇଥିଲେ । ତେବେ ସର୍ଭର ଠିକ ହେବାର ଅଧ ଘଣ୍ଟାଏରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଥିଲା । ଏପରିକି ୨, ୪ ଓ ୭ ନମ୍ବର ଗ୍ୟାଲେରୀଟିକେଟ୍ ସୋଲ୍ଡ ଆଉଟ ଲେଖା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦର୍ଶକ ନିରାଶ ହୋଇ ଯାଇଥିଲେ । ତେବେ ଆଗାମୀ ୫ ଓ ୬ ତାରିଖରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉଥିବାରୁ ଏବେ ଏହା ଉପରେ ଭରଷା ରଖିଛନ୍ତି ଦର୍ଶକ ।
ଏବେ ଅଫଲାଇନ ଟିକେଟ୍ କିଣିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରୀଡ଼ାପ୍ରେମୀ । ଦୀର୍ଘ ୬ ବର୍ଷ ପରେ ବାରବାଟୀକୁ ଫେରିଛି ୱାନଡେ ମ୍ୟାଚ୍ । ୨୦୨୨ରେ ଯଦିଓ ଫଟାଫଟ କ୍ରିକେଟ ଖେଳାଯାଇଥିଲା, କିନ୍ତୁ ୫୦ ଓଭର ମ୍ୟାଚର ମଜା କିଛି ଅଲଗା । ବଡ଼ କଥା ହେଉଛି, ଏଥର ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳି ବାରବାଟୀରେ ଖେଳିବେ । ଏହି ଦୁଇ ତାରକାଙ୍କୁ ଦେଖିବା ପାଇଁ ଅଧିକ ସଂଖ୍ୟାରେ ଫ୍ୟାନ ଷ୍ଟାଡିୟମ ଆସିବେ ।
ଗ୍ୟାଲେରୀ ନମ୍ବର-୨ ଓ ୪ ପାଇଁ ୯୦୦ ଟଙ୍କା ଏବଂ ୭ ନମ୍ବର ପାଇଁ ୭୦୦ ଟଙ୍କା ରଖାଯାଇଛି । ସେହିପରି ସ୍ପେଶାଲ ଏନକ୍ଲୋଜର ପାଇଁ ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ ପାଇଁ ୮ ହଜାର ଟଙ୍କା ଏବଂ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।