ଭୁବନେଶ୍ବର: ପୁଣି ମୋ ବସ୍ ଦୁର୍ଘଟଣା । ଏଥର ମୋ ବସ୍ ଧକ୍କାରେ ରାଜଧାନୀରେ ଜଣେ ୧୨ ବର୍ଷିୟ ଝିଅର ମୃତ୍ୟୁ ଘଟିଛି । ଘଟଣା ନନ୍ଦନକାନନ ଥାନା ରଘୁନାଥପୁରରେ ଘଟିଛି । ନାବାଳିକା ଉପରେ ‘ମୋ ବସ୍’ ମାଡ଼ି ଯାଇଛି । ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଝିଅଟି ସାଇକେଲରେ ଯାଉଥିବା ବେଳେ ‘ମୋ ବସ୍’ ଧକ୍କା ଦେଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଝିଅଟି ସାଇକେଲ୍ରେ ଯାଉଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ‘ମୋ ବସ୍’ ତାଙ୍କୁ ଧକ୍କା ଦେଇଥିଲା । ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ଜୀବନ ଗଲାଣି । ଦୁର୍ଘଟଣା ପରେ ସ୍ଥାନାୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ୩ଟି ମୋ ବସ୍ କୁ ଅଟକ ରଖିଛନ୍ତି । ଏହାସହ ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଛନ୍ତି ।
ସୂଚନାଯୋଗ୍ୟ କିଛିଦିନ ତଳେ ମୋ ବସ୍ ଧକ୍କାରେ ଜଣେ ଯୁବତୀ ସବୁଦିନ ପାଇଁ ତାଙ୍କ ହାତ ହରାଇଛନ୍ତି । ଏହାପରେ କଡ଼ାକଡ଼ି ହୋଇଥିଲା ନିୟମ । ଗାଡିର ସ୍ପିଡ ୪୦ କିମି ଭିତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ହେଲେ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଡ୍ରାଇଭର । ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦୁର୍ଘଟଣା ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ମୋ ବସ୍ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଗଲାଣି । ଗତକାଲି ମଧ୍ୟ ଡମଣା ଛକରେ ଏକ କାରକୁ ଧକ୍କା ଦେଇଥିଲା ମୋ ବସ୍ । ଏହି ଘଟଣା ପରେ ଦୀର୍ଘ ସମୟ ଧରି ଲୋକେ ବସରେ ଫସି ରହିଥିଲେ ।