ଦାଦାବଟି ପାଇଁ ମାଛ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ମୁଣ୍ଡରେ ମଦ ବୋତଲ ପିଟି ଦେଲେ


କେନ୍ଦ୍ରାପଡ଼ା: ଦାଦାବଟି ନଦେବାରୁ ମାଛ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ଅସାମାଜିକ ବ୍ୟକ୍ତି ନା କେବଳ ଆକ୍ରମଣ କରିଛନ୍ତି ତାଙ୍କ ପାଖରୁ ସୁନା ଚେନ, ମୁଦି, ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚି ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ବ୍ୟବସାୟୀଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କୁଦାନଗରୀ ଥାନା ଅଞ୍ଚଳରେ ଘଟିଛି ।

ବ୍ୟବସାୟୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଆଡତ ବ୍ୟବସାୟୀ ହେଲେ ଚଅଁପୁର ଗାଁର ରାକେଶ ମାହାଳିକ । ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ଘରକୁ ଫେରୁଥିଵା ସମୟରେ ମାହାଳ ବାବା କଲ୍ୟାଣ ମଣ୍ଡପ ନିକଟରେ ଆକ୍ରମଣ ହୋଇଥିଲା ।

ଅଭିଯୋଗ ଅନୁସାରେ, କାବିଲପୁର ଓ ଛକନା ଅଞ୍ଚଳର କିଶୋର ଓରଫ ଖଟୁ ନାୟକ, ଚିଙ୍କୁ, ଚିଣ୍ଟୁ, ବିଳାସ ରାଉଳ ଓ ତାଙ୍କର ସହଯୋଗୀ ତାଙ୍କୁ ଅଟକାଇ ମଦ ବୋତଲରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା, ସୁନା ଲୁଟି ନେଇଥିଲେ । ପୂର୍ବରୁ ଏମାନେ ବାରମ୍ବାର ଦାଦାବଟି ମାଗୁଥିଲେ । ରାକେଶ ଦାଦାବଟି ନ ଦେବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କୁଦାନଗରୀ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଧରାପଡ଼ି ନଥିବା ଜଣାପଡିଛି ।