ବେଙ୍ଗାଲୁରୁରେ ଗ୍ୟାସ ନିଆଁରେ ପୋଡ଼ି ହୋଇ ୫ ଓଡ଼ିଆ ଶ୍ରମିକ ଗୁରୁତର


ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅଘଟଣ । ଗ୍ୟାସ ନିଆଁରେ ପୋଡ଼ି ହୋଇ ଗଞ୍ଜାମ ଜିଲ୍ଲା ଚିକିଟିର ୫ ଶ୍ରମିକ ଗୁରୁତର । ରୋଷେଇ କରିବା ପାଇଁ ଗ୍ୟାସ ଷ୍ଟୋଭରେ ଅଗ୍ନି ସଂଯୋଗ ବେଳେ ହଟାତ ନିଆଁ ଲାଗି ଯାଇଥିଲା l ଚାହୁଁ ଚାହୁଁ ନିଆଁ ସାରା ରୁମରେ ବ୍ୟାପି ଯାଇଥିଲା l ନିଆଁ ଭୟରେ ୫ ଜଣ ଶ୍ରମିକ ରୁମରୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି ।

ଗୁରୁତର ଶ୍ରମିକମାନେ ହେଲେ ସନ୍ତୋଷ ବେହେରା, ପବିତ୍ର ସେଠୀ, ରୁନା ସାହୁ, ବିପିନ ସେଠୀ ଏବଂ ସାରଥୀ ସେଠୀ । ସମସ୍ତ ଗୁରୁତର ଶ୍ରମିକ ବ୍ରହ୍ମପୁର ପୋଲିସ ଜିଲ୍ଲା କେ. ନୂଆଗାଁ ଥାନା ଜେନାପୁର ଗାଁର ବୋଲି ଜଣାପଡ଼ିଛି । କାମଧନ୍ଦା ପାଇଁ ସେମାନେ ଗତମାସରେ ବେଙ୍ଗଇଲୁ ଯାଇଥିଲେ । ସେଠାରେ ସେମାନେ ଏକ ସ୍ପେୟାର ପାର୍ଟ୍ସ କମ୍ପାନୀରେ କାମ କରୁଥିଲେ । ଖବର ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗୁରୁତରମାନଙ୍କ ଚିକିତ୍ସା ସୁବିଧା କରିବା ସହିତ ଘରକୁ ଫେରାଇ ଆଣିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।