ପୁଣି ମୋ ବସ୍ ଦୁର୍ଘଟଣା, ପରିବା ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା


କଟକ: ପୁଣି ମୋ ବସ୍ ଦୁର୍ଘଟଣା । କଟକରେ ଜଣେ ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ମୋ ବସ୍ । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ଦୁର୍ଘଟଣା ଘଟିଛି । ଆହତ ପରିବା ବ୍ୟବସାୟୀ ଜଣଙ୍କ ହେଲେ ବିକାଶ ସ୍ୱାଇଁ (୨୫) ।

ଆଜି ସକାଳେ ବିକାଶ ବଜାରରୁ ପରିବା ନେଇ ନିଜ ଲୁନାରେ ଘରକୁ ଫେରୁଥିଲେ । ଏହି ସମୟରେ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ‘ମୋ ବସ୍‌’ଟି ବିକାଶଙ୍କୁ ଧକ୍କା ଦେଇଥିଲା । ବିକାଶ ତଳେ ଛିଟିକି ପଡ଼ି ଯାଇଥିଲେ । ତାଙ୍କ ଗାଡ଼ିରେ ଥିବା ପରିବା ଚାରିଆଡେ ଛିନଛତ୍ର ହୋଇ ପଡ଼ି ଯାଇଥିଲା । ସେଠାରେ ଥିବା ଉପସ୍ଥିତ ଲୋକେ ବିକାଶଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଉତ୍ତେଜନା କମିଥିଲା ।

ସୂଚନାଯୋଗ୍ୟ, କିଛିଦିନ ତଳେ ଭୁବନେଶ୍ୱର ସ୍ଥିତ ରଘୁନାଥପୁର ନିକଟରେ ମୋ ବସ୍‌ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିଲା । ଝିଅଟି ସାଇକେଲରେ ଘରକୁ ଫେରୁଥିବା ବେଳେ ମୋ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରେ ଝିଅଟିର ମୃତ୍ୟୁ ଘଟିଥିଲା । ପୋଲିସ ମୋ ବସ୍ ଡ୍ରାଇଭରକୁ ଗିରଫ କରିଥିଲା ।