ଭୁବନେଶ୍ବର: ଆଜି ‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ । ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ବଣ୍ଟନ କରିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ । ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି ।
ଏବେ ବି କିଛି ଆବେଦନକାରୀଙ୍କର ଏନପିସିଆଇ ସମସ୍ୟା ରହିଛି । ସେମାନେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ । ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି । ଏହାକୁ ଆଜି ସୁଦ୍ଧା ସମାଧାନ କଲେ ସୁଭଦ୍ରା ଟଙ୍କା ମିଳିବ । ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ । ସମସ୍ୟା ସମାଧାନ ହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ ହିତାଧିକାରୀ ।