ବାରବାଟୀ ମ୍ୟାଚ୍ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା, ଓସିଏକୁ ସ୍ପଷ୍ଟିକରଣ ମାଗିଲେ କ୍ରୀଡ଼ାମନ୍ତ୍ରୀ


କଟକ: ରବିବାର ଐତିହାସିବ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ଏଥିରେ ଭାରତ, ଇଂଲଣ୍ଡକୁ ହରାଇ ୨-୦ରେ ସିରିଜ୍ କବଜା କରିଛି । ତେବେ ଭାରତର ବ୍ୟାଟିଂ ଚାଲିଥିବା ବେଳେ ଷ୍ଟାଡିୟମର ଅବ୍ୟବସ୍ଥା ପଦାରେ ପଡ଼ିଥିଲା । ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ଫ୍ଲଡ ଲାଇଟ ଲିଭି ଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ଏଭଳି ଅବ୍ୟବସ୍ଥାକୁ ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓସିଏକୁ ସ୍ପଷ୍ଟିକରଣ ମାଗିଣନ୍ତି ।

କେଉଁମାନେ ଦାୟିତ୍ବରେ ଥିଲେ, ତାହା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ OCA ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଜେନେରେଟର ସମସ୍ୟା ପାଇଁ ଏପରି ହେଲା । ଯେପରି ପୁନରାବୃତ୍ତି ନହେବ ଧ୍ୟାନ ଦେବୁ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହେଲା ଓ ବିକଳ୍ପ ବ୍ୟବସ୍ଥା ବିଳମ୍ବ ହେଲା । ଦ୍ବିତୀୟ ଜେନେରେଟର ଆଣିଲା ବେଳେ ବାଟରେ ଟିମ୍ ବସ୍ ଥିଲା । ଟିମ୍ ବସ୍ ଡ୍ରାଇଭରଙ୍କୁ ଖୋଜିବାରୁ ଟିକେ ବିଳମ୍ବ ହେଲା ।

ଭାରତର ବ୍ୟାଟିଂ ବେଳେ ଫ୍ଲଡ୍ ଲାଇଟରେ ସମସ୍ୟା ଯୋଗୁଁ ୨୦ରୁ ୨୫ ମିନିଟ୍ ମ୍ୟାଚ୍ ବନ୍ଦ ରହିଥିଲା । ମ୍ୟାଚର ସପ୍ତମ ଓଭର ଚାଲିଥିବା ବେଳେ ହଠାତ୍ ଗୋଟିଏ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା । ଫଳରେ ପଡ଼ିଆର କିଛି ସ୍ଥାନ ଅନ୍ଧାର ହୋଇଯାଇଥିଲା । ସେହି ସମୟରେ କ୍ରିଜରେ ଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ । ଉଭୟେ କିଛି ସମୟ କ୍ରିଜରେ ରହିବା ପରେ ପାଭିଲିୟନ୍ ଫେରିଥିଲେ । ଏଭଳି ସମସ୍ୟାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ ଶର୍ମା । ଦର୍ଶକ ବି ନିରାଶ ହୋଇଥିଲେ । ପାଖାପାଖି ୨୦ରୁ ୨୫ ମିନିଟ ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ ।

ରୋହିତଙ୍କ ଧୂଆଁଧାର ଶତକୀୟ ଇନିଂସ । ଜାଡେଜାଙ୍କ ଯାଦୁଗରୀ ସ୍ପିନ୍ । ଗିଲଙ୍କ ଅର୍ଦ୍ଧଶତକ ସହ ଶ୍ରେୟସ ଆୟାର ଓ ଅକ୍ଷର ପଟେଲଙ୍କ ଲଢୁଆ ବ୍ୟାଟିଂ, ବାରବାଟୀରେ ଟିମ୍ ଇଣ୍ଡିଆକୁ ଦେଇଛି ବଡ଼ ବିଜୟ । ଦ୍ବିତୀୟ ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ମ୍ୟାଚ୍ ଜିତିବା ସହ ଆଗୁଆ ୨-୦ରେ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ବାରବାଟୀରେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଇଂଲଣ୍ଡ ୩୦୪ ରନ୍ କରିଥିଲା । ଜବାବରେ ହାତରେ ୪ ଓଭର ୩ଟି ବଲ୍ ବାକି ଥାଇ ଟାର୍ଗେଟ ପୂରା କରିଥିଲା ଭାରତ । କ୍ୟାପଟେନ୍ ରୋହିତ ଶର୍ମା ବହୁ ଦିନ ପରେ ଫର୍ମକୁ ଫେରିବା ସହ ବିସ୍ଫୋରକ ସେଞ୍ଚୁରୀ ମାରିଥିଲେ । ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ବି ନେଲେ ରୋହିତ । ସେ କ୍ୟାରିୟରର ୩୨ତମ ଶତକ ହାସଲ କରିବା ସହ ୯୦ ବଲ ଖେଳି ୭ଟି ଛକା ଓ ୧୨ ଚୌକା ବଳରେ ୧୧୯ ରନ୍ କରିଥିଲେ । ସେହିପରି ଶୁବମନ୍ ଗିଲ୍ ୬୦, ଶ୍ରେୟସ ଆୟାର ୪୪, ଅକ୍ଷର ପଟେଲ୍ ଅପରାଜିତ ୪୧ ରନ୍ କରିଥିଲେ । ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏଥିସହ ବାରବାଟୀରେ ଲଗାତାର ଅଷ୍ଟମ ୱାନ ଡେ’ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । ଆସନ୍ତା ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ତୃତୀୟ ଦିନିକିଆ ମ୍ୟାଚ୍ ।