କେନ୍ଦ୍ରାପଡ଼ା: ନିଶା ମହାରଣାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ବିରୋଧୀ ଓ ସପକ୍ଷବାଦୀ ମୁହାଁମୁହିଁ । ରଣକ୍ଷାତ୍ର ପାଲଟିଲା ଯାତ୍ରା ସ୍ଥଳ । ଠେଲାପେଲାକୁ ଉଡ଼ିଲା ଚେୟାର ଟେବୁଲ । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀରେ । ଗଣ୍ଡଗୋଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଧସ୍ତାଧସ୍ତି, ପିଟାପିଟି ଓ ଚେୟାର ଫୋଫଡ଼ା ଯୋଗୁଁ ଶତାଧିକ ଦର୍ଶକ ଖଣ୍ଡିଆ ଖାବରା ହୋଇଛନ୍ତି । ଶେଷରେ ସ୍ଥିତି ଏପରି ହୋଇଥିଲା ଯେ ଯାତ୍ରା ବନ୍ଦ କରିବାକୁ ପଡିଥିଲା ।
ମାଘମେଳା ପାଇଁ ନିଶା ମହରଣାକୁ ଷ୍ଟେଜ ଶୋ’ ପାଇଁ ଆଣିଥିଲା ଯାତ୍ରା କମିଟି । ହେଲେ ନିଶାଙ୍କ ଡାନ୍ସ ଆରମ୍ଭ ହେବା କ୍ଷଣି କିଛି ଦର୍ଶକ ଠିଆ ହୋଇ ନୃତ୍ୟ ବନ୍ଦ ପାଇଁ କହିବା ସହ ହୋହାଲ୍ଲା କରିଥିଲେ । ସେପଟେ ଯାତ୍ରା କମିଟି ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି ଧରିବାରୁ ଉଭୟଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ହୋଇଥିଲା । ନିଶା ପେଣ୍ଡାଲରୁ ଚାଲିଯିବା ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ମଧ୍ୟରେ ମାରପିଟ ଯୋଗୁଁ ଯାତ୍ରା ପଡ଼ିଆ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା । ଏପରି ଭୟାନକ ଦୃଶ୍ୟ ଦେଖି ଦର୍ଶକମାନେ ଦୌଡ଼ିବାକୁ ଲାଗିଥିଲେ । ସମସ୍ୟାର ସମାଧାନ ହୋଇ ନପାରିବାରୁ କମିଟ ପକ୍ଷରୁ ନାଟକ ପରିବେଷଣ ବନ୍ଦ କରା ଯାଇଥିଲା ।