କଂସେଣ୍ଟ୍ରିକ୍ସ ବିପିଓକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 


ଭୁବନେଶ୍ବର: ଆଜି ବୃତ୍ତିଗତ ସେବା ସଂସ୍ଥା କଂସେଣ୍ଟ୍ରିକ୍ସ ବିପିଓକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଯୁବପିଢିଙ୍କ ଲାଗି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଂସେଣ୍ଟ୍ରିକ୍ସର ଏହି କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା ଫଳରେ ରାଜ୍ୟର ଅର୍ଥନୀତି ମଧ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ। ଏହି କମ୍ପାନି ହେଉଛି ପୃଥିବୀର ସର୍ବବୃହତ୍‍ ପେଶାଦାର ସେବା ଯେଗାଣକାରୀ ସଂସ୍ଥା । ୧୭ ବର୍ଷ ଧରି ଏହା କାର୍ଯ୍ୟ କରିଆସୁଛି।

କଂସେଣ୍ଟ୍ରିକ୍ସ ଭୁବନେଶ୍ୱରରେ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବା ସହିତ ମହିଳା ସଶକ୍ତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ଫଳରେ ବିଶ୍ୱବିଦ୍ୟାଳୟର ପରିସରରେ “କନେସନଟ୍ରିକ୍ସର ଏକ ଦକ୍ଷତା ବିକାଶ କେନ୍ଦ୍ର” ସ୍ଥାପନ କରାଯାଇ ଯୋଗ୍ୟ ଛାତ୍ରୀମାନଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ପ୍ରଦାନ କରାଯିବ ।