ହାଇଦ୍ରାବାଦ: ପୁଣି ମନ୍ଦିରରେ ମାଂସ ଟୁକୁରା । ହାଇଦ୍ରାବାଦର ଏକ ଶିବ ମନ୍ଦିର ପରିସରରୁ ମାଂସ ଟୁକୁଡା ମିଳିବା ପରେ ଦେଖା ଦେଇଛି ଉତ୍ତେଜନା । ବୁଧବାର ମନ୍ଦିର ପରିସରରେ ଥିବା ଶିବଲିଙ୍ଗ ନିକଟରୁ ଏକ ମାଂସ ଖଣ୍ଡ ମିଳିଥିଲା । ଘଟଣାକୁ ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ପାଇ ପୋଲିସ ମନ୍ଦିରରେ ପହଞ୍ଚି ସ୍ଥିତି ସମ୍ଭାଳିବାକୁ ଲାଗିଛି ।
ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଛି । ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ । ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ମନ୍ଦିର ବାହାରେ ଭିଡ ଜମିଥିଲା ।
ଅଭିଯୋଗ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଦ୍ବାର ବନ୍ଦ ଥିବାରୁ କୌଣସି ପଶୁ ପକ୍ଷୀଙ୍କ ଦ୍ବାରା ଏଭଳି ମାଂସ ଆସିଥିବା ସନ୍ଦେହ କରାଯାଉଛି । ସିସିଟିଭି ଫୁଟେଜର ଯାଞ୍ଚ ଚାଲିଛି । ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ଘଟଣାକୁ ନେଇ ବିଜେପି ବିଧାୟକ ରାଜା ସିଂ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହାଇଦ୍ରାବାଦରେ କୌଣସି ହିନ୍ଦୁ ମନ୍ଦିରରେ ଏଭଳି ହେବା ଏକ ସାଧାରଣ ଘଟଣା ପାଲଟି ଯାଇଛି । ପୋଲିସ ସବୁବେଳେ ବିଲେଇ, କୁକୁରଙ୍କୁ ଦୋଷ ଦେଇ ଖସି ଯିବାକୁ ପ୍ରୟାସ କରୁଛି । ଘଟଣାରେ ଯିଏ ବି ସମ୍ପୃକ୍ତ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।