ପୁରୀ: ରକ୍ତ ରଞ୍ଜିତ ହେଲା ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଗତକାଲି ରାତିରେ ପୁରୀ ବଳଗଣ୍ଡି ଛକରେ ଏଭଳି ଘଟଣା ଘଟିଛି । ଗାଡି ନମ୍ବର ପ୍ଲେଟ୍ ତିଆରି କରିବାକୁ ଏକ ଦୋକାନକୁ ଯାଇଥିବାବେଳେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଆକ୍ରମଣର ଶିକାର ଯୁବକ ଗାଡି ନମ୍ବର ପ୍ଲେଟ୍ ତିଆରି କରିବାକୁ ବଳଗଣ୍ଡି ଛକରେ ଏକ ଦୋକାନକୁ ଦେଇଥିଲେ । କୌଣସି କାରଣରୁ ବିଳମ୍ବ ହେବାରୁ ଯୁବକଙ୍କ ସହ ଦୋକାନ କର୍ମଚାରୀଙ୍କ ବଚସା ହୋଇଥିଲା । ସାମାନ୍ୟ ବଚସା ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନମ୍ବର ପ୍ଲେଟ୍ ଦୋକାନର କର୍ମଚାରୀ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକଙ୍କ କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ବଳଗଣ୍ଡି ଛକରେ ହୋହଲ୍ଲା ପରିସ୍ଥିତି ଉପୁଜିଥିଲା । ଖବର ପାଇ ଘଟଣାସ୍ଥଳରେ ଅତରିକ୍ତ ଏସପି ପହଞ୍ଚି ତଦନ୍ତ କରିଛନ୍ତି ।
ଅନ୍ୟପକ୍ଷେ ଦିନକୁ ଦିନ ଅଶାନ୍ତ ହେଉଛି ପୁରୀ ସହର । କେତେବେଳେ ସାମାନ୍ୟ ଗଣ୍ଡଗୋଳରୁ ବୋମାମାଡ଼ ହେଲାଣି ତ କେତେବେଳେ ଛୁରାମାଡ଼, ଗୁଳିମାଡ଼ ହେଲାଣି । କଥା କଥାକେ ବୋହୁଛି ରକ୍ତ । ଅନେକ ସମୟରେ ପୁରୀରୁ ଏଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି ।