ଭୁବନେଶ୍ବର: କିଟି ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରବର୍ତ୍ତି ଅଶାନ୍ତିକୁ ନେଇ ନେପାଳ ସଂସଦରେ ହଙ୍ଗାମା । ଉଭୟ ବିରୋଧୀ ଓ ସରକାରୀ ଦଳ ଏକ ସ୍ବରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଭାରତରେ ନେପାଳୀ ଛାତ୍ରଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସଂସଦରେ ବିରୋଧୀ ଦାବି କରାଯିବା ସହ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ଜାତିକୁ ନେଇ କିଟ୍ କର୍ମଚାରୀ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରାଯାଇଛି । ଏପରିକି ମାମଲା ଯଥାର୍ଥ ଓ ଆଇନଗତ ଭାବେ ସମାଧାନ ନହେଲେ ଓଡ଼ିଶାରେ ପଢ଼ିବାକୁ ଚାହୁଁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ଏନଓସି ଦିଆଯିବ ନାହିଁ ବୋଲି ସେଠିକାର ସରକାର କହିଛି ।
ଗତ ମଙ୍ଗଳବାର ନେପାଳ ସଂସଦର ଉଭୟ ଗୃହରେ କିଟରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯିବା ସହ ଏଠାରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କୂଟନୈତିକ ପ୍ରସାହ କରିବାକୁ ସରକାରଙ୍କୁ ଦାବି କରାଯାଇଥିଲା ।
ଶାସକ ସିପିଏନ-ୟୁଏମଏଲର ଆଇନ ପ୍ରଣୟନକାରୀ ଛବିଲାଲ ବିଶ୍ବକର୍ମା କହିଥିଲେ, ଓଡ଼ିଶାରେ ରହି ପଢୁଥିବା ନେପାଳୀ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ, ଦେଶବସୀ ଓ ଛାତ୍ରଛାତ୍ରୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ପ୍ରସଙ୍ଗରେ ନିରପେକ୍ଷ ଓ ତଥ୍ୟଗତ ତଦନ୍ତ ଆବଶ୍ୟକତା ରହିଛି । ସେଠାରେ ଥିବା ଆମ ଛାତ୍ରଛାତ୍ରୀ ବହୁତ ଚାପରେ ଥିବା ଆମ ପାଖରେ ଖବର ରହିଛି । ସେହିପରି ବିରୋଧୀ ସିପିଏନ-ମାଓ କେନ୍ଦ୍ରର ସାଂସଦ ମାଧବ ସାପକୋଟ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଉଚ୍ଚସ୍ତରୀୟ ରାଜନୈତିକ ଆଲୋଚନା କରିବାକୁ ଦାବି କରିଥିଲେ । ଉଭୟ ଗୃହର ସଦସ୍ୟ ଘଟଣାର ତଦନ୍ତ ଦାବି କରିବା ସହ ନେପାଳୀ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ଓଡ଼ିଶାକୁ ଛାତ୍ରଛାତ୍ରୀ ପଠାଇବା ବନ୍ଦ କରିବାକୁ ନେପାଳର ଧମକ
କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଓ ଏହାପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ନିର୍ଯାତନାର ନ୍ୟାୟ ସଙ୍ଗତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏପରି ନହେଲେ କିଟ ସମେତ ଓଡ଼ିଶାର ଅନ୍ୟ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଚାହୁଁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ଏନଓସି ପ୍ରଦାନ କରାଯିବ ନାହିଁ । ଏହାସହ କିଟରେ ପଢୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଧର୍ଯ୍ୟ ରଖିବାକୁ ଆହ୍ବାନ ଦିଆଯିବା ସହ ସମସ୍ୟାର ସମାଧାନ ପ୍ରଭାବୀ ଢଙ୍ଗରେ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନିୟମିତ ଭାବରେ ପରିସ୍ଥିତି ଉପରେ ନଜର ରଖାଯାଇଛି । ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ, ଓଡ଼ିଶା ସରକାର ଏବଂ KIIT ସହିତ ସମ୍ପର୍କ ରଖାଯାଇଛି । ଏହାସହ ମନ୍ତ୍ରାୟଳ ପକ୍ଷରୁ କୁହାଯାଇଛି, ନେପାଳୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପାଇଁ କିଟ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲକୁ ଫେରି ଆସି ନିଜ ପାଠପଢ଼ା ପୁଣି ଆରମ୍ଭ କରିବାକୁ ଅନୁରୋଧ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ନେପାଳ ଦୂତାବାସର ଦୁଇ ଜଣ ଅଧିକାରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।