ଜୟଙ୍କ ମନ ପରିଭାଷା ସ୍ୱତନ୍ତ୍ର ରାଜ୍ୟ ଗଠନର ଭିନ୍ନ ଇସାରା


ଡା. ରାଜାରାମ ଷଡ଼ଙ୍ଗୀ
ଉତ୍କଳ, କଳିଙ୍ଗ ଏବଂ କୋଶଳ ସମ୍ପର୍କୀୟ ବିବାଦୀୟ ବକ୍ତବ୍ୟକୁ ନେଇ ଏବେ କମ୍ପୁଛି ଓଡିଶା। ଓଡିଶାର ବିଜ୍ଞ ବ୍ୟକ୍ତି ବିଶେଷ ନୀରବ ଥିବା ବେଳେ ଜଣେ ତୁଙ୍ଗ ନେତାଙ୍କ ମନ ପରିଭାଷାକୁ ନେଇ ଓଡ଼ିଶାର ରାଜନୀତି ହଲଚଳ ହୋଇଛି। ଏପରିକି ବିଧାନସଭାରେ ମଧ୍ୟ୍ୟ ଏହି ବିଷୟକୁ ନେଇ ସୋମବାର କିଛି ହଟଚମଟ ଦେଖିବାକୁ ମିଳିଥିଲା।ତେବେ ଏହି ବିଷୟକୁ ଅନୁଶୀଳନ କଲେ ସ୍ୱତନ୍ତ୍ର ରାଜ୍ୟ ଗଠନର ଅସଲ ନେତୃତ୍ୱର ପରିଭାଷାକୁ ବୁଝିବା ଖୁବ ସହଜ ମନେ ହେଉଛି।ନେତା ଓ ନେତୃତ୍ୱର ବିଚାର ଏହି ଦୃଷ୍ଟିକୋଣରୁ ସର୍ବାଗ୍ରେ ବୋଲି ଏହି ଲେଖକ ନିଃସଙ୍କୋଚରେ କେତେକ ବିଷୟବସ୍ତୁ ଉପରେ ଆଲୋଚନା କରି ସମୟର ଆହ୍ୱାନରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନୋଭାବକୁ ବିଶ୍ଳେଷଣ କରିବାକୁ ଉଚିତ ମନେ କରୁଛି।
କେହି କେବେ ନିଜକୁ ପ୍ରଶ୍ନ କରିଛିକି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଦାବି କଅଣ ପାଇଁ ହେଇ ଥିଲା ? ଓଡ଼ିଆ ଭାଷା ଭାଷୀ ଲୋକଙ୍କ ସ୍ବାର୍ଥକୁ ଉପେକ୍ଷା ଓ ତଳିତଳାନ୍ତ କରାଯାଉ ଥିଲା ତତ୍ କାଳୀନ ବ୍ରିଟିଶ ଇଣ୍ଡିଆ ବଙ୍ଗଳା ପ୍ରଦେଶରେ । ପ୍ରାଶାସନିକ ବ୍ୟବସ୍ଥାରେ ବାପୁଡ଼ା ଓଡ଼ିଆକୁ ଯେ କୌଣସି ସରକାରୀ କାମ ପାଇଁ କଲିକତାକୁ ଦୌଡ଼ିବାକୁ ପଡୁଥିଲା । ତେଣୁ ଉତ୍କଳ ପ୍ରଦେଶ ଜନ୍ମ ନେଇ ଥିଲା। ଆଜିର ସମୟରେ ଓଡିଶାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ପ୍ରାଧାନ୍ୟ ଦେଇ ପଶ୍ଚିମ ଓଡ଼ିଶାର ବିକାଶକୁ ଅଣଦେଖା କରିବା ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟରୁ ବେଶ୍ ପରିଲକ୍ଷିତ ହେଉଛି। ଏଣୁ ଜୟନାରାୟଣଙ୍କ ଅବିଭାଷଣକୁ ଅନ୍ୟଥା ନନେଇ ଏକ ନ୍ୟାୟ ସଙ୍ଗତ ପ୍ରସଙ୍ଗ ବୋଲି କାହିଁକି ଆମେ ବିଚାର କରିବା ନାହିଁ?
ଖଣି, ଖାଦାନ, ଜମି, ଜଳ, ଜଙ୍ଗଲ ଏ ପଶ୍ଚିମାଞ୍ଚଳରେ କଣ ରହିଛି ଅଭାବ। କେଉଁ ସୂତ୍ରରୁ ରାଜସ୍ବ ନେବାରେ କମି ରହିଛି ଓଡିଶା ସରକାରଙ୍କ ପାଇଁ? ସେ ତୁଳନାରେ କଣ ପାଇଛି ପଶ୍ଚିମାଞ୍ଚଳ! ଏକ ଯୁକ୍ତିଯୁକ୍ତ ଆଲୋଚନା ଅବା ଉପସ୍ଥାପନା ପାଇଁ ବର୍ତ୍ତମାନ ଭବିଷ୍ୟତ ପାଇଁ ଆହ୍ୱାନର ସମୟର ପାଲଟିଯାଇଛି। ଏହାକୁ କିଏ ସ୍ୱୀକାର କରୁବା ନକରୁ ଏହା ଚିରନ୍ତନ ସତ୍ୟ।ପଶ୍ଚିମାଞ୍ଚଳ ଓଡିଶା ପେଟର ଆହାର। କିନ୍ତୁ ପଶ୍ଚିମାଞ୍ଚଳ ପେଟର ଭିକାରୀ ବୋଲି ଯେଉଁ ରାଜନୈତିକ ବିଚାରଧାରା ରହିଥିଲା ତାକୁ ମୂଳ ପୋଛ କରିବାକୁ କେହି ଜଣେ ଉଭା ହୋଇଛନ୍ତି ତାହାହିଁ ପ୍ରମୁଖ ବିଶେଷତ୍ୱ।
ଯଦି ବିଚାର କରାଯାଏ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କେଉଁ ଆଭିମୁଖ୍ୟ ନେଇ ହୋଇଥିଲା। ବର୍ତ୍ତମାନ ତାର ରୂପରେଖ କ’ଣ? ଏହାର ପ୍ରସାଶନିକ ମହକୁମା କଣ ପାଇଁ ଭୁବନେଶ୍ବରରେ ଅଛି ତାର ତାତ୍ପର୍ଯ୍ୟ ଅବୁଝା ରହିନି ସତ, କିନ୍ତୁ ନେତୃତ୍ୱର ଅଭାବ ପାଇଁ ଆମକୁ ସେହି ଶୁଣ୍ଢୀ ପିଣ୍ଡା ହେବାକୁ ପଡୁଛି। ଏହା କଣ ସତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୂଳ ଲକ୍ଷ!
ଅନ୍ୟ ପକ୍ଷରେ ଖଣିଜ ସଂପଦରେ ପରିପୂର୍ଣ ପଶ୍ଚିମ ଓଡ଼ିଶାରେ କଳକାରଖାନା ଗଢ଼ି ଉଠିଛି ଆଉ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୀରବ ଦ୍ରଷ୍ଟା ସାଜି ଭୁବନେଶ୍ୱରରେ ବସିଛି । ଏହି ଅଞ୍ଚଳବାସୀ ପ୍ରଦୂଷଣ ଜନିତ ରୋଗରେ ରୋଗାଗ୍ରସ୍ଥ ତଥାପି କେହି କେମିତି ମୁହଁ ଖୋଲୁ ନାହାଁନ୍ତି ତାହାହିଁ ଏକ ବଡ଼ ପ୍ରଶ୍ନ ନୁହେଁ ବରଂ ଆମର ନିର୍ଲଜ ଗୁଣକୁ ପଦାରେ ପକାଇଛି। ଏହା ମାନିବାକୁ କିନ୍ତୁ ଆମ ନେତା ରାଜି ହେବେନି।
ସେମିତିରେ ଦେଖିବାକୁ ଗଲେ ଖଣିଜ ସଂପଦର ପରିବହନ ପାଇଁ ଉନ୍ନତ ସଡ଼କ, ରେଳ ଯୋଗାଯୋଗ ଅପରିହାର୍ଯ୍ୟ। କିନ୍ତୁ ୧୨୦ ଫୁଟ କଳା ମଚମଚ ଚିକ୍କଣ ରାସ୍ତା ହେବ ଭୁବନେଶ୍ବର , କଟକ ଓ ପୂର୍ବାଞ୍ଚଲରେ। ଆଉ ସଂକୀର୍ଣ୍ଣ ଅଣ ଓସାରିଆ ଖାଲ ଖମ୍ମା ରେ ପରିପୂର୍ଣ ଧୂଳି ଧୂସର ରାସ୍ତା ହେବ ଆମ ପଶ୍ଚିମାଞ୍ଚଳରେ?ଧେତ ଏ ଓଡ଼ିଆ ଜାତି।
ସ୍ୱୟଂ ଶାସିତ ବୁର୍ଲା ଭୀମସାର କଥା କହିଲେ ଏ ଜାତିକୁ ଅପମାନ ଭଳି। ଭୀମସାର ହୋଇ ପାରିଲା ନାହିଁ ସ୍ୱୟଂ ଶାସିତ। ଭୀମସାର ଉପରେ ଭରସା ରହିଲା ନାହିଁ ଆମ ଲୋକଙ୍କ। ଏହାଠୁ ବଡି ନିର୍ଲଜ ଅପମାନ ସହିବାକୁ ସମୟ ଅଛିକି? ସେପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ହେବାକୁ ଜୋଜବରଦସ୍ତି ରେ ଅଟକା ଯାଉଛି । ଆମେ ନ୍ୟାୟ ପାଇବା ପାଇଁ ୩୦୦- ୫୦୦ କିମି (ସ୍ଥଳ ବିଶେଷରେ) ଦୂର କଟକ ଦୌଡ଼ିବାକୁ ପଡୁଛି। ଏଥି ପାଇଁ ପ୍ରଶାସନକୁ ଅଡ଼ୁଆ ବୋଧହୁଏ ଲାଗୁ ନାହିଁ। ନେତା, ବାବୁମାନଙ୍କୁ ଶୀତତାପ ନିୟନ୍ତ୍ରିତ ଆରମଦାୟକ ସରକାରୀ ଗାଡ଼ି ଓ ବ୍ୟୋମଯାନର ଉତ୍ତମ ସୁବିଧା ରହିଛି ତ , ସେମାନେ ଗରୀବ, ଖଟିଖିଆ କୃଷକ ମାନଙ୍କ କଥା ବୁଝି ପାରିବେ କୁଆଡୁ ! ତେଣୁ ଏହି ପରମ୍ପରା କୁ ଆମେ ସବୁ ସଜେଇ ଧରିଛେ ନିଜର ଅବିବେକି ନେତୃତ୍ୱରେ। ଆଉ ଯଦି କୁହାଯିବ ସମ୍ବଲପୁର, ରାଉରକେଲା ଭଳି ଉନ୍ନତ ମହାନଗର ନିର୍ବାଚନ ନହେବା କାରଣ ତେବେ ହିଁ ଏହା ନେତୃତ୍ବର ଅବିଚାର ବୋଲି କେହି ଗ୍ରହଣ ନକରିବା ହେଉଛି ବୋଧେ ଆମର ବଡ଼ ଦୁର୍ବଳତା।
ଏପରିକି ହୀରାକୁଦ ଜଳଭଣ୍ଡାରର ପାଣି ଶୋଷିବ ତାପଜବିଦ୍ୟୁତ ପ୍ରକଳ୍ପ, ଜିନ୍ଦଲ ଲୌହ ଶିଲ୍ପାନୁଷ୍ଠାନ, ହିଣ୍ଡାଲକୋ, ବେଦାନ୍ତ ଆଲୁମିନା ଇତ୍ୟାଦି ଇତ୍ୟାଦି ବଡ଼ ବଡ଼ କମ୍ପାନୀ।ଆଉ ଚବିଶ ଘଣ୍ଟା ପାୱାର ପାଇବ ଭୁବନେଶ୍ୱର, କଟକ। କିନ୍ତୁ ବାରମ୍ବାର ବିଜୁଳି କାଟ ହେବ ଆମ ଗାଁ,ସହରରେ ଏପରିକି ବୁର୍ଲା, ସମ୍ବଲପୁର ଡାକ୍ତର ଖାନାରେ ମଧ୍ଯ। ପାଣି ପାଇବାରୁ ବଞ୍ଚିତ ହେବ ଆମ କ୍ଷେତ।ଚାଷୀ କରିବ ଆତ୍ମହତ୍ୟା। କଳକାରଖାନାର ଧୁଆଁ ଖାଇବେ , ପ୍ରଦୂଷଣ ଜନିତ ଜରାବ୍ୟାଧି ଭୋଗିବେ, ଅତି ଉତ୍ତପ୍ତ ପରିବେଶ ପାଇଁ ଏ ଅଞ୍ଚଳବାସି ଅଂଶୁଘାତରେ ପୀଡ଼ିତ ହେବେ ଆଉ ଶୀତତାପ ନିୟନ୍ତ୍ରିତ ଆରାମଦାୟକ କକ୍ଷରେ ଶୋଇବ ପୂର୍ବାଞ୍ଚଳ। ଏହା କେଉଁ ନିୟମରେ ଲେଖା ହୋଇଛି।
ମାଳମାଳ ଉନ୍ନତ ଡାକ୍ତରଖାନା ହେବ କଟକ, ଭୁବନେଶ୍ବରରେ। ସରକାରୀ ବାବୁ, ନେତାଗଣ ରୋଗରେ ପଡ଼ିଲେ ବୁର୍ଲା ମେଡ଼ିକାଲକୁ ନ ଯାଇ ଭୁବନେଶ୍ୱର କର୍ପୋରେଟ ହସପିଟାଲକୁ ଚିକିତ୍ସା ପାଇଁ ଯିବେ ପୁଣି ଏୟାର ଆମ୍ବୁଲାନ୍ସରେ। କିନ୍ତୁ ତାଙ୍କୁ ନିର୍ବାଚିତ କରିଥିବା ମଲିମୁଣ୍ଡିଆମାନେ ହସପାତାଳରେ ଶର୍ଯ୍ୟା ନ ପାଇ ଭୂମିରେ ଶୋଇବେ। ଏଭଳି ନଗ୍ନ ଚିତ୍ର ଦେଖିବା ଆଉ କେତେ ଦିନ।ଧିକ୍ ଆମ ଜୀବନ । ବୁର୍ଲା ମେଡ଼ିକାଲକୁ ପଙ୍ଗୁ କରିବେ ସ୍ୱୟଂଶାସିତ ନାମରେ। ଡାକ୍ତରଖାନାକୁ ଡାକ୍ତର ଯୋଗାଇ ପାରିବେ ନାହିଁ, କିନ୍ତୁ ମାଳମାଳ କୋଠା ନିର୍ମାଣ କରିବେ ତାହା ପୁଣି ଉପଯୁକ୍ତ ନିୟମକୁ ଉଲଂଘନ କରି। ଯନ୍ତ୍ରପାତି କିଣିବେ ବିନା ବିଶେଷଜ୍ଞ ଡ଼ାକ୍ତରରେ।ଏହା କାହା ସ୍ୱାର୍ଥ ପାଇଁ, ଏତେ ଅବୁଝା କେମିତି ଆମ ଲୋକ ସବୁ?
ବିଗତ ସରକାରଙ୍କ ଅସଲ ପୋଲ ଖୋଲି , ଲୋକମାନଙ୍କୁ ସଚେତନ କରି ସେ ବେଳର ବିରୋଧୀ ଦଳ ନେତା ଜୟନାରାୟଣ ଯେଉଁ ପରାକାଷ୍ଠା ଦେଖାଇଛନ୍ତି ତାହା ଏବର ସରକାରଙ୍କୁ ବିପୁଳ ବିଜୟ ଆଣି ଦେଇଛି ତାହା କହିବାକୁ ସଙ୍କୋଚ କରିବା କାହିଁକି?ନେତୃତ୍ୱର ଅସଲ ଚାବି କାଠି ଅବା ସତ୍ ସାହସ ଦାମ୍ଭିକ ପଣିଆକୁ ଏକ ସଫଳ ରୂପାୟନ ଭାବରେ ଗ୍ରହଣ କରିବାକୁ କୁଣ୍ଠା କରିବା କେଉଁ ଗୁଣରେ, ଏହା ହିଁ ଆଶ୍ଚର୍ଯ୍ୟ ଲାଗୁଛି।
ଏସବୁ ଦୃଷ୍ଟକୋଣ ଦେଖି ଜୟନାରାୟଣଙ୍କ ଉତ୍କଳ ପ୍ରସଙ୍ଗ ଉତ୍ଥାପନ ବର୍ତ୍ତମାନ ପରିପ୍ରେକ୍ଷୀରେ ଯଥାର୍ଥ ଭାବେ ଗ୍ରହଣ କରିବା ସହଜ ହୋଇ ନପାରେ,ଏହା ରୋଚକ ମନେ ହେଲେ ମଧ୍ୟ କିନ୍ତୁ ନିରାଟ ସତ ଉଵାଚ ଏହା ଜଣେ ସ୍ୱାଭିମାନୀ ମଣିଷକୁ ଗ୍ରହଣ କରିବାକୁ ପଡିବ।ଏହା ଯଦି ଆମର ପୁର୍ବଜମାନେ ଉତ୍କଳ ପ୍ରଦେଶ ଗଠନ ପାଇଁ କରିଥିବା ଆନ୍ଦୋଳନ ସେତେ ବେଳେ ଠିକ୍ ଥିଲା ଆଜି ଜୟନାରାୟଣଙ୍କ ଆହ୍ଵାନ ମଧ୍ଯ ସମୁଚିତ ଅଟେ। ଏଭଳି ଆହୁରି ଅନେକ ସମ୍ବେଦନଶିଲ ବିଷୟ ଅଛି ପଶ୍ଚିମ ଓଡ଼ିଶାର ବିକାଶକୁ ନେଇ। ତେଣୁ ଜୟନାରାୟଣଙ୍କ ସାହସିକ ବକ୍ତବ୍ୟ ବେଶ୍ ଯଥାର୍ଥ ମନେ ହୁଏ।ତାଙ୍କର ଏହି ବାଗ୍ମୀ ଉପସ୍ଥାପନା ନୁଆଁ ପରିଭାଷାର ଆହ୍ୱାନ ତୋଳିଛି।ସମସ୍ତ ବିଷୟ ସଠିକ୍ ଭାବେ ଜାଣି ସୁଦ୍ଧା ଜୟନାରାୟଣଙ୍କ ମନଖୋଲା କଥାକୁ କଦର୍ଯ୍ୟ ଭାଷାରେ ନବୁଝି ଏକ ଗମ୍ଭୀର ଭାବେ ବୁଝିବାକୁ ଲକ୍ଷ ରଖିଲେ ପଶ୍ଚିମାଞ୍ଚଲର ଅଭୁତ ପୂର୍ବ ହୀରାଖଣ୍ଡ ସାମ୍ବ୍ରାଜ୍ୟର ସୂତ୍ରପାତ ଘଟିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ପଡିଆବାହାଲ, ସମ୍ବଲପୁର ୭୬୮ ୧୧୨
ଫୋନ :୯୪୩୭୪ ୦୫୪୫୫