Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ୩ ଗିରଫ

ଝାରସୁଗୁଡା ୧୭/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରେଙ୍ଗାଲି ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବାଦୀମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଏଗାଡେରା ଗ୍ରାମର ପରମେଶ୍ୱର ଭଇଁସାଲ (୩୬),ପ୍ରଦୀପ ଭଇଁସାଲ (୨୫) ଏବଂ ପ୍ରଶାନ୍ତ ଭଇଁସାଲ(୧୮) ବୋଲି ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ପୁଲିସର ତଥ୍ୟ ଅନୁଯାୟୀ ଶବିବାର ହୋଲି ପର୍ବ ଦିନ ବଏଗାଡେରା ଗାଁର ବିକାଶ ମିର୍ଦ୍ଧା, ସୁରେଶ ମିର୍ଦ୍ଧା, ଗଣେଶ ମିର୍ଦ୍ଧା ଓ ପରମେଶ୍ୱର ଭଇଁସାଲ ଏମାନେ ଚାରିଜଣ ମିଶି ବାଦୀମାଲ ଛକକୁ ରଙ୍ଗ ଖେଳିବା ପାଇଁ ଯାଇଥିଲେ । କିନ୍ତୁ ସେଠାରୁ ଫେରିବା ସମୟରେ ବିକାଶ ମିର୍ଦ୍ଧା ଓ ପରମେଶ୍ୱର ଭଇଁସାଲଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପରମେଶ୍ୱର ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ବିକାଶ ର ମୁଣ୍ଡରେ ଶକ୍ତ ପ୍ରହାର କରିଥିଲା । ଫଳରେ ବିକାଶର ମୁଣ୍ଡ ଫାଟିଯାଇ ରକ୍ତସ୍ରାବ ହୋଇଥିଲା । ଏହା ପରେ ବିକାଶ ମୋତେ ମାଡ଼ମାରି ଲହୁଲୁହାଣ କରି ଦେଇଛି ବୋଲି ମିଛରେ ପରମେଶ୍ୱର ତାଙ୍କ ଭାଇ ମାନଙ୍କୁ ଫୋନ କରି ଜଣାଇବା ପରେ ପ୍ରଦୀପ ଓ ପ୍ରଶାନ୍ତ ଉତ୍ୟକ୍ତ ହୋଇ ଆସି କାଞ୍ଜିଝରଣ ଗାଁ ପାଖରେ ପୁଣି ବିକାଶକୁ ଆକ୍ରମଣ କରିଥିଲେ । ଯାହା ଫଳରେ ବିକାଶ ସେଠାରେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ ।
ଏ ସମ୍ପର୍କରେ ଖବର ପାଇ କନକତୋରା ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ ସଦଲବଳେ ଘଟଣା ସ୍ଥଳରେ ପହଞ୍ଚି ବିକାଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ ପିସିଆର ଗାଡ଼ିରେ ଜାମଗାଁ ଛକ ପର୍ଯ୍ୟନ୍ତ ନେଇ ସେଠାରୁ ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ ଥିବା କନକତୋରା ଅଧିକାରୀ ଶ୍ରୀ ଭଇଁସାଲ ପ୍ରକାଶ କରିଛନ୍ତି । ଆହତ ବିକାଶଙ୍କ ବାପା ଦୁଲ୍ଲଭ ମିର୍ଦ୍ଧାଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ମାମଲା ରୁଜୁ କରି ପରମେଶ୍ୱର, ପ୍ରଦୀପ ଓ ପ୍ରଶାନ୍ତକୁ ଗତକାଲି ଗିରଫ କରା ଯାଇଥିଲା । ଆଜି ତିନିଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ