ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଉନ୍ନବିଂଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫ । ଏହି ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ରାଜ୍ୟ ଅତିଥି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ।
ସୂଚନା ଅନୁଯାୟୀ, ଚଳିତବର୍ଷ ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ ଟି ଷ୍ଟଲ ବ୍ୟବସ୍ଥା ହୋଇଛି । ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ ।
ଏତଦ ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବେ । ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ “ଶିଳ୍ପ ସୃଜନୀ ।” ଦିବା ୩.୦୦ ଘଟିକା ଠାରୁ ରାତ୍ର ୧୦.୦୦ ଘଟିକା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାସନ ସୋ”ର ମଧ୍ୟ କରାଯିବ । ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।
ତୋଷାଳି ଜାତୀୟ ମେଳା ପରିସରରେ ସମସ୍ତ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ, ଏଟିଏମ୍ କାଉଣ୍ଟରର ସୁବିଧା କରାଯାଇଛି । ମହିଳା କାରିଗର ଓ ବୁଣାକାରମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି ।
ଏହି ବର୍ଷ ମେଳାକୁ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୁଳ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି । ହୁଇଲ ଚେୟାର ସହ ଦିବ୍ୟ।ଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ଦିବ୍ୟ।ଙ୍ଗ ଓ ମହିଳା ପରିଦର୍ଶକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବନ୍ଦୋବସ୍ତ ହୋଇଛି । ସର୍ବୋପରି ମା’ ଓ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଅଛି । ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ), ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ)ର ମିଳିତ ସହଭାଗିତାରେ ଏହି ମେଳା ଆୟୋଜନ ହେଉଛି।