Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦ ଭରସାରେ ଚାଲିଛି ଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନା ଅଛନ୍ତି ଡାକ୍ତର ନା ଅଛି ପାନୀୟ ଜଳଯୋଗାଣ ବ୍ୟବସ୍ଥା

ଝାରସୁଗୁଡା ୨୦/୩ (ଓଡ଼ିଶା ନ୍ୟୁଜ) ଗୋବିନ୍ଦ ଭରସାରେ ଚାଲିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ସ୍ଥିତ ଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ନିୟମିତ ଡାକ୍ତର ନଥିବା ବେଳେ ମାତ୍ର ଜଣେ ଷ୍ଟାଫ ନର୍ସ,ଜଣେ ସୁଇପର ଏବଂ ଜଣେ ସିକ୍ୟୁରୀଟି ଗାର୍ଡରେ ଚାଲିଛି ସ୍ଵାସ୍ଥ୍ୟ ସେବା । ତାହାବି ସକାଳ ୮ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ । ଅନ୍ୟ ପକ୍ଷରେ ଏଠାରେ ଜଣେ ହେଲେ ସ୍ଥାୟୀ ଅଭିଜ୍ଞ ଡାକ୍ତର ନ ଥିବା ଯୋଗୁଁ ଗର୍ଭବତୀ ମହିଳା ତଥା ସାଧାରଣ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି ।
ଏହା ବ୍ୟତୀତ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା କି ନଳକୂପ ଟିଏ ବି ନାହିଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ, ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ି ରହିଛି ରୋଗୀଙ୍କ ପାଇଁ ନିର୍ମାଣ କରା ଯାଇଥିବା ଶୌଚାଳୟ । ସେହିଭଳି ପାଚେରୀ ନ ଥିବା ଯୋଗୁଁ ଡାକ୍ତରଖାନା ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ଏଥିସହ ବିଭିନ୍ନ ପ୍ରକାର ଗଛଲତା ଉଠି ଡାକ୍ତରଖାନା ପରିସରଟି ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ । ରାତ୍ର ଜଗୁଆଳି ନ ଥିବା ଯୋଗୁଁ ପୂର୍ବରୁ ଅନେକ ଥର ଡାକ୍ତରଖାନାରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନଜିର ରହିଛି । ଝାରସୁଗୁଡା କନକତୋରା ୪୯ ନଂ ଜାତୀୟ ରାଜପଥ ଗୋବିନ୍ଦପୁର ଛକ ଠାରୁ ମାତ୍ର ଅନତି ଦୂରରେ ଗୋବିନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଟି ଅବସ୍ଥିତ ଥିବା ସତ୍ବେ ଏଥିପ୍ରତି କାହାରି ସୁଦୃଷ୍ଟି ପଡୁନାହିଁ । ଯାହା ଫଳରେ ରାଜପଥରେ ପ୍ରାୟ ପ୍ରତ୍ୟେକ ଦିନ ଘଟୁଥିବା ଦୁର୍ଘଟଣା ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ । ଏଠାରେ ଡାକ୍ତର ନିଯୁକ୍ତି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଉ ନ ଥିବା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ କ୍ଷୋଭ ପ୍ରକାଶ କରିଛନ୍ତି । ଉକ୍ତ ଡାକ୍ତରଖାନାଟି ସ୍ଥାପନ ହେବା ଦିନ ଠାରୁ ଏ ପର୍ଯ୍ୟନ୍ତ ଘୋର ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ତେଣୁ ଅଞ୍ଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଏଠାରେ ଜଣେ ଅଭିଜ୍ଞ ଡାକ୍ତର, ଜଣେ ଫାର୍ମାସିଷ୍ଟ,ଜଣେ ଲେବୋଟାରି ଟେକ୍ନିସିଆନ, ରାତ୍ର ଜଗୁଆଳିଙ୍କୁ ନିଯୁକ୍ତ କରିବା ସହ ଡାକ୍ତରଖାନାରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଚାରିପଟେ ପାଚେରୀ ନିର୍ମାଣ, ଡାକ୍ତରଖାନା ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା, ଯାତାୟାତ ପାଇଁ ରାସ୍ତା ନିର୍ମାଣ, ଷ୍ଟାଫ କ୍ବାଟର ନିର୍ମାଣ, ଆଲୋକି କରଣ କରିବା ଆଦି ଅଞ୍ଚଳବାସୀ ଦାବି କରୁଛନ୍ତି । ଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଏମ.ଏମ.ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ହେଲେ ଦେଖିବାକୁ ବାକି ରହିଲା ଯେ କେବେ ବଦଳୁଛି ଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାଗ୍ୟ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ