ନାବାଳିକାଙ୍କୁ ଅପହରଣ ଓ ବାବାଙ୍କୁ ଆକ୍ରମଣ ମାମଲା; ୨ ଜଣଙ୍କୁ କୋର୍ଟ ଚାଲାଣ


ବେଲଗୁଣ୍ଠା: ଜଣେ ନାବାଳିକାଙ୍କୁ ଅପହରଣ କରିବା ସହିତ ତାର ବାପାଙ୍କୁ ଆକ୍ରମଣ କରିବା ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଦୁଇଜଣଙ୍କୁ ପୋକ୍ସୋ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ନୁଆଁବୋରି ଗ୍ରାମର କୁମର ସ୍ଵାଇଁ ସୁରତ୍ ରେ ନିଜ ପରିବାର ସହିତ ରହି କାମ କରନ୍ତି । କୁମାର ଙ୍କର ଜଣେ ଷୋହଳ ବର୍ଷୀୟା ନାବାଳିକା ଝିଅ ଅଛି । କିଛିଦିନ ତଳେ ନୁଆଁବୋରୀ ଗ୍ରାମର ଗାଣ୍ଡୁ ଭୋଳର ପୁଅ ମୁନା ଭୋଳ ସେହି ନାବାଳିକା ଝିଅକୁ ଅପହରଣ କରି ନିଜ ଗାଆଁକୁ ନେଇ ଆସିଥିଲା । ନାବାଳିକାର ବାପା ଝିଅକୁ ଖୋଜାଖୋଜି କରି ଝିଅ ନୁଆଁ ବୋରୀରେ ଥିବା ଜାଣିବା ପରେ ନୁଆଁବୋରୀରେ ପହଞ୍ଚି ନିଜ ଝିଅକୁ ଉଦ୍ଧାର କରିବା ପାଇଁ ମୁନା ଭୋଳର ଘରକୁ ଯାଇଥିଲେ । ସେଠାରେ ମୁନା ଭୋଳ ଏବଂ ତାର ବାପା ଗାଣ୍ଡୁ ଭୋଳ ମିଶି ନାବାଳିକାର ବାପାଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ । ଏନେଇ ଗାଙ୍ଗପୁର ଥାନାରେ ଏତାଲା ଦାୟର ହେବାପରେ ଥାନାରେ 131/23 ରେ ଏକ ମାମଲା ରୁଜୁ କରାଯିବା ସହିତ ଉଭୟ ମୁନା ଏବଂ ଗାଣ୍ଡୁଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟଚାଲାଣ କରାଯାଇଛି । ପ୍ରକାଶ ଥାଉକି ନାବାଳିକା ଜଣଙ୍କ ତିନି ମାସର ଗର୍ଭବତୀ ଅଛି । ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଆଇ ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି ।