ପ୍ରସ୍ତାବିତ ଶ୍ରୀମନ୍ଦିର ବିମାନବନ୍ଦର ପାଇଁ ଜମି ଅଧିକ୍ରହଣ ପ୍ରକ୍ରିୟା ଆରମ୍ଭ


ପୁରୀ: ପ୍ରସ୍ତାବିତ ଶ୍ରୀମନ୍ଦିର ବିମାନବନ୍ଦର ପାଇଁ ଅଣ୍ଟା ଭିଡ଼ିଲେ ସରକାର । ୧୧୬୪ ଏକ ଜମିରେ ନିର୍ମାଣ ହେବ ଏୟାରପୋର୍ଟ । ଖୁବଶୀଘ୍ର ଆରମ୍ଭ ହେବ କାମ । ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ରାଜ୍ୟର ଆର୍ଥିକ ବିକାଶକୁ ମିଳିବ ନୂଆ ଗତି । ଦେଶ ବିଦେଶର ବିଭିନ୍ନ ସହର ସହ ଯୋଡ଼ି ହେବ ଶ୍ରୀକ୍ଷେତ୍ର ପୁରୀ । ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ପ୍ରକାଶ ପାଇଛି ତତ୍ପରତା ।

ରାଜ୍ୟ ସରକାରଙ୍କ ତରଫରୁ ଡିପିଆର୍ ଆବେଦନ ପରେ ଏବେ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ ହୋଇଥିବା ବେଳେ ଏୟାରପୋର୍ଟ କ୍ରିୟାନ୍ବୟନ ପାଇଁ ବାଟ ଫିଟିଛି । ପ୍ରାଥମିକ ପର୍ଯ୍ୟାୟରେ ୨୨୧ ଏକ ଜମି ଅଧିଗ୍ରହଣ କରାଯିବ । ଏ ନେଇ ଏପ୍ରିଲ ୯ ଓ ୧୧ ତାରିଖରେ ପ୍ରସ୍ତାବିତ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ଜନଶୁଣାଣୀ ।  ପରିବହନ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ସମୟରେ ବିଧାନସଭାରେ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ ସର୍ମ୍ପକରେ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସରକାରଙ୍କ ପକ୍ଷରୁ ୧୧୬୪ ଏକର ଜମି ନିରୂପଣ ହୋଇସାରିଛି । ଅଞ୍ଚଳର ଭିତ୍ତିଭୂମିରେ ଉଲ୍ଲେଖନୀୟ ଉନ୍ନତି ସହ ସଂଯୋଗୀକରଣ ଓ ପର୍ଯ୍ୟଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୨,୨୦୩ କୋଟି ଟଙ୍କା ବିନିଯୋଗରେ ପିପିପି ମୋଡ୍‌ରେ ବିକାଶ କରିବା ଲାଗି ଯୋଜନା ରହିଛି । ତୁରନ୍ତ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଦାବି କରିଛନ୍ତି ପୁରୀ ବାସିନ୍ଦା । ପ୍ରତିବର୍ଷ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବିମାନବନ୍ଦର ନିର୍ମାଣ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଅର୍ଥନୀତି ଓ ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ।