ଓ୍ବାକଫ ରାଜନୀତି: ବିଜେପି ପଚାରିଲା କାହାକୁ ଦେଇଛ ଭୋଟ, ବିଜେଡି କହିଲା କହିବୁନି


ଭୁବନେଶ୍ବର: ଓ୍ବାକଫ ବିଲକୁ ସମର୍ଥନ ଓ ବିରୋଧକୁ ନେଇ ଓଡ଼ିଶା ରାଜନୀତି ସରଗରମ । ଭୋଟ୍ ପରଠାରୁ ତିନି ପ୍ରମୁଖ ରାଜେନୖତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦୋଷ ଲଦାଲଦି ହେଉଛନ୍ତି । ବିଲକୁ ସମର୍ଥନ କରିବାକୁ ନେଇ ତ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି । ଆରମ୍ଭରୁ ବିଜେଡି ବିଲକୁ ବିରୋଧ କରୁଥିବା ବେଳେ ଭୋଟ ବେଳେ ନିରବ ରହିବା ଓ ଦଳର କିଛି ସାଂସଦ ବିଲ ସପକ୍ଷରେ ଭୋଟ ଦେବାକୁ ନେଇ ନା କେବଳ ରାଜ୍ୟ ରାଜନୀତି, ବିଜେଡି ମଧ୍ୟରେ ଚର୍ଚ୍ଚା ଜୋର ଧାରିଛି । ଏପରିକି ବିଲକୁ ସମର୍ଥନ ପଛରେ ବିଜେଡିକୁ ନିଜ ଆଙ୍ଗୁଳିରେ ନଚାଉଥିବା ଭି.କେ. ପାଣ୍ଡିଆନଙ୍କ ନାଁ ବି ଉଠିବାରେ ଲାଗିଛି । ପତ୍ନୀ ସୁଜାତାଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇବା ପାଇଁ ପାଣ୍ଡିଆନ ଓ୍ବାକଫ ପିଲ ସମର୍ଥନରେ ଡିଲ କରାଇଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଜେପି ସାଂସଦ ବିଜେଡିକୁ ଏକ ପ୍ରଶ୍ନ କରି ରାଜନୀତିକୁ ଆହୁରି ଉଷ୍ଣ କରି ଦେଇଛନ୍ତି ।

ବିଜେପି ସାଂସଦ ସୁଜିତ କୁମାର କାହାକୁ ଭୋଟ ଦେଇଛ ବୋଲି କହି ବିଜେଡିର ୪ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି । ସୁଜିତ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବିଚାରଧାରା ସହିତ ସାଲିସ କରି ନଥିବାରୁ ଦେବାଶିଷ ସାମନ୍ତରାୟ ଏବଂ ମୁନ୍ନା ଖାଁଙ୍କୁ ସମ୍ମାନ ଜଣାଇଛନ୍ତି । କିନ୍ତୁ ବାକି ୪ ସାଂସଦ କାହାକୁ ଭୋଟ ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ବିଜେପି ସାଂସଦ କହିଛନ୍ତି, ଓଡିଶାବାସୀଙ୍କର ଜାଣିବାର ଅଧିକାର ଅଛି । ସେମାନେ ଯଦି ବିଲ ସପକ୍ଷରେ ଭୋଟ ଦେଇଛନ୍ତି କେଉଁ କାରଣରୁ ଦେଇଛନ୍ତି । ଯଦି ବିରୋଧରେ ଭାଟ ଦେଇଛନ୍ତି ତେବେ କେଉଁ ଅନ୍ତରାତ୍ମା ବା ବିବେକର ଇସାରାରେ ଦେଇଛନ୍ତି ବୋଲି ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି ।

ସେ ତାଙ୍କ ପୋଷ୍ଟରେ କହିଛନ୍ତି, ବିଜେଡି ସାଂସଦମାନଙ୍କୁ ଅନୁରୋଧ ଯେ ସେମାନେ ବିଲର ସପକ୍ଷରେ କି ବିପକ୍ଷରେ ଭୋଟ ଦେଇଛନ୍ତି ତାହା ସତ ସାହସ ଦେଖେଇ ଲୋକଙ୍କ ଆଗରେ ପ୍ରକାଶ କରନ୍ତୁ । ଏଥିସହ ଦଳର କିଛି ନେତାଙ୍କର ପାପ ଏବଂ ଦୁର୍ନୀତିକୁ ଲୁଚେଇବା ପାଇଁ ଭୟରେ ଶେଷ ମୁହୂର୍ତ୍ତରେ ନିଜର ଆଭିମୁଖ୍ୟକୁ ବଦଳାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପି ସାଂସଦଙ୍କ ପ୍ରଶ୍ନର ଉତ୍ତର ବିଜେଡି ସାଂସଦ ଦେଇଛନ୍ତି । ବିଜେଡି ସାଂସଦ ସୁଲୋତା ଦେଓ ଫେସବୁକରେ ଲାଇଭ୍ ଆସି କହିଛନ୍ତି, କାହାକୁ ଭୋଟ ଦେଇଛୁ କହିବୁନି । ସେ କହିଛନ୍ତି, ନବୀନ ପଟ୍ଟନାୟକ କହିଥିଲେ ବିବେକ ଅନୁସାରେ ଭୋଟ ଦେବାକୁ । ଆମେ ବାଣ୍ଟିକି ଭୋଟ ଦେଲୁ । ଭୋଟ କିଏ କେଉଁଠି ଦିଏ କାହାକୁ କୁହାଯାଏନି, ତେଣୁ କହିବୁନି । କିନ୍ତୁ ସବୁ ସମ୍ପ୍ରଦାୟର ସାଂସଦ ଥିବାରୁ ବାଣ୍ଟିକି ଭୋଟ ଦେଇଛୁ ।