ଓ୍ବାକଫ ବିଲକୁ ସମର୍ଥନ ବିଜେଡି ପତନର ଆୟାରମ୍ଭ କି ? ପଦ୍ମ ଆଡ଼କୁ ଢଳୁଛନ୍ତି କି ସସ୍ମିତ ?


ଭୁବନେଶ୍ବର: ଓ୍ବାକଫ ବିଲକୁ ନେଇ ସାରା ଦେଶରେ ହଇଚଇ ମଚିଥିବା ବେଳେ ଓଡ଼ିଶାର ରାଜନୈତିକ ପାଣିପାଗରେ ଗ୍ରୀଷ୍ମର ଝାଞ୍ଜି ବୋହୁଛି । ବିଲକୁ ସମର୍ଥନ ଦେବାକୁ ନେଇ ଦଳ ଏବେ ଦୁଇ ଫାଳ । ଦଳୀୟ ସାଂସଦ ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି । ଦଳ ବାହାରେ ରହି ନବୀନ ପଟ୍ଟନାୟକ ଏବଂ ବିଜେଡିକୁ ଭି.କେ. ପାଣ୍ଡିଆନ ନିଜ ଇସାରାରେ ନଚାଉଛନ୍ତି କହୁଛନ୍ତି ତ ଆଉ କିଏ ତାମିଲ ବାବୁଙ୍କୁ କ୍ଲିନଚିଟ୍ ଦେବାରେ ଲାଗିଛନ୍ତି । ଏମିତି ଭିତରେ ଆରମ୍ଭ ହୋଇଛି ବିଜେଡିରେ ଦଳ ବଦଳ ଚର୍ଚ୍ଚା ।

ଆଉ ଏହି ଚର୍ଚ୍ଚା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନେଇ । ଚର୍ଚ୍ଚା ହେଉଛି, ସସ୍ମିତ କୁଆଡ଼େ ଶଙ୍ଖ ଶିବିର ଛାଡି ପଦ୍ମ ଧରିପାରନ୍ତି । ଯେବେଠୁ ସେ ଓ୍ୱାକଫ୍ ବିଲକୁ ସମର୍ଥନ କରିଛନ୍ତି, ସେବେଠୁ ଏହି କଥାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

ପୂର୍ବରୁ ମଧ୍ୟ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ଶଙ୍ଖ ଛାଡି ପଦ୍ମ ଧରିସାରିଛନ୍ତି । ସେ ସୁଜିତ୍ କୁମାର ହୁଅନ୍ତୁ କି, ମମତା ମହନ୍ତ ଉଭୟ ନବୀନଙ୍କ ହାତ ଛାଡିବା ସହିତ, ନିକଟରେ ମୋଦୀଙ୍କ ଦଳରେ ସାମିଲ ହେଇଥିଲେ । ଆଉ ଠିକ୍ ସେହି ଢଙ୍ଗରେ ଏବେ ସସ୍ମିତ ବି ଚାଲୁଥିବା ଚର୍ଚ୍ଚା ହେଉଛି । ଯଦି, ଖବର ହୋଇଥିବ ତେବେ ଶୀଘ୍ର ସସ୍ମିତଙ୍କୁ ବେରୁଆ ବେଶରେ ଦେଖିବାକୁ ମିଳିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡିରେ ଓ୍ୱାକଫ୍ ବିଲକୁ ନେଇ ଏତେ ସାରା ଘଟଣା ଘଟିଲାଣି, ଏମିତି କି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ କଥା ଗଲାଣି । ହେଲେ ସସ୍ମିତ ମୁହଁ ଖୋଲିନାହାଁନ୍ତି । ସେ ବିଦେଶ ଗସ୍ତରେ ଥିଲେ ବି ପ୍ରସଙ୍ଗକୁ ନେଇ ପଦୁଟିଏ କହୁନାହାନ୍ତି ।  ତାଙ୍କର ଏ ନୀରବତା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଦେଖିବାକୁ ବାକି ରହିଲା, ରାଜନୀତିରେ ସସ୍ମିତଙ୍କ ଆଗାମୀ ଷ୍ଟେପ୍ କ’ଣ ହେବ ? ଆଉ ଓ୍ୱାକଫ୍ ବିଲକୁ ସମର୍ଥନ ନେଇ ସେ କ’ଣ ପ୍ରତିକ୍ରିୟା ରଖୁଛନ୍ତି ?