Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କୁ କିଛି ନକହିବା ପାଇଁ ନବୀନ ସତର୍କ କରାଇଲେ

କାର୍ତ୍ତିକେୟନ୍ ପାଣ୍ଡିଆନ ଉଭୟ ଦଳ ଓ ରାଜ୍ୟ ପାଇଁ ବହୁତ କାମ କରିଛନ୍ତି। ସେ ୧୦ ମାସ ହେଲା ବିଜେଡି ଛାଡ଼ି ସାରିଛନ୍ତି। ସେ ଦଳର କୌଣସି କାମରେ ସଂପୃକ୍ତ ନାହାନ୍ତି। ତେଣୁ ବିଜେଡିର କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ। ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଛଅ ଦିନ ଧରି ହଲଚଲ ହେଲା ପରେ ଆଜି ମୁହଁ ଖୋଲିଛନ୍ତି ସଭାପତି ନବୀନ ପଟ୍ଟନାୟକ।

ଆଉ ପାଣ୍ଡିଆନଙ୍କ ସୁରକ୍ଷା କବଚ ଭାବେ ହିଁ ସେ ଗଣମାଧ୍ୟମ ସାମନାକୁ ଆସିଛନ୍ତି। ପାଣ୍ଡିଆନଙ୍କୁ କେବଳ ପ୍ରଶଂସା କରିନାହାନ୍ତି, ବରଂ ତାଙ୍କୁ କୌଣସି ପ୍ରକାର ସମାଲୋଚନା ନ କରିବାକୁ ସେ ବିଜେଡି ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ମୋହରା ସଜାଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ। ତାଙ୍କରି ନାମ ନେଇ କହିଛନ୍ତି, ‘ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି।

ସେ କିଛି ବର୍ଷ ତଳେ ଦଳରୁ ବହିଷ୍କୃତ ହୋଇଛନ୍ତି। ଚିଟ୍ଫଣ୍ଡ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ସେ ଜେଲ୍ ଯାଇଥିଲେ।’ ପ୍ରଭାତଙ୍କ ନାଁ ନେଇ ଅନ୍ୟ ସବୁ ନେତାଙ୍କୁ ପାଣ୍ଡିଆନଙ୍କୁ କିଛି ନକହିବା ପାଇଁ ନବୀନ ସତର୍କ କରାଇ ଦେଇଛନ୍ତି। କେବଳ ଏତିକିରେ ନବୀନ ଅଟକି ନାହାନ୍ତି। ବରିଷ୍ଠ ନେତାମାନଙ୍କୁ ନାଲି ଆଖି ଦେଖାଇଛନ୍ତି। ହୋଟେଲ୍ରେ କୌଣସି ଦଳୀୟ ବୈଠକ ପାଇଁ ସେ ଅନୁମତି ଦେଇ ନାହାନ୍ତି। ବୈଠକ କରିବା ପାଇଁ ଶଙ୍ଖ ଭବନରେ ପର୍ଯ୍ୟାପ୍ତ ଜାଗା ଅଛି। ସେଠାରେ ବୈଠକ ନ କରି ହୋଟେଲ୍ରେ ବୈଠକ କରିବା ଉଚିତ ନୁହେଁ ବୋଲି କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଯେଉଁ ପ୍ରସଙ୍ଗରେ ନେତାମାନେ ନବୀନଙ୍କଠାରୁ ସ୍ପଷ୍ଟୀକରଣ ଓ କାର୍ଯ୍ୟାନୁଷ୍ଠାନ ଚାହୁଥିଲେ, ତାହାକୁ ସେ ଛୁଇଁ ନାହାନ୍ତି। ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଶେଷ ମୁହୂର୍ତ୍ତରେ କିଏ ଓ କାହିଁକି ବଦଳାଇଥିଲେ, ସେ ସମ୍ପର୍କରେ ନବୀନ କିଛି କହିନାହାନ୍ତି।