Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ମା ବ୍ରାହ୍ମଣ ଦେବୀ ଯାତ୍ରା ଆରମ୍ଭ

ବେଲଗୁଣ୍ଠା : ବେଲଗଣ୍ଠାରେ ଚାଲିଥିବା ପ୍ରସିଦ୍ଧ ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ସୋମବାର ଦିନ ୱାର୍ଡ ନମ୍ବର ୪ ରଙ୍ଗଣୀପାଟଣା ସାହି ତରଫରୁ ଏକ ସୁନ୍ଦର ଆକର୍ଷଣୀୟ ପଟୁଆର ସହିତ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆରମ୍ଭ ହୋଇଯାଇଛି । ସୋମବାର ଦିବା ୧୦ ଘଟିକା ସମୟରେ ରଙ୍ଗଣୀପାଟଣା ସାହି ବାସିନ୍ଦା ଓ ଯାତ୍ରା ପରିଚାଳନା କମିଟି ସହିତ ବିଭିନ୍ନ ବ୍ୟକ୍ତି ବିଶେଷ ଏକ ଶୋଭାଯାତ୍ରାରେ ବାହାରି ମାଁ ଙ୍କ ଅସ୍ଥାୟୀ ପୀଠରେ ନଗର ପରିକ୍ରମା ପାଇଁ ନିମନ୍ତ୍ରଣ ସକାଶେ ପହଞ୍ଚିଥିଲେ । ସେଠାରେ ମାଁ ଙ୍କୁ ମାଜଣା, ପୂଜାର୍ଚ୍ଚନା ଓ ଆରତୀ କରାଯାଇ ଆଜିର ନଗର ପରିକ୍ରମା ନିର୍ବିଘ୍ନରେ ସମାପନ ଆଶୀର୍ବାଦ ଭିକ୍ଷା କରିଥିଲେ ।ପରେ ସଂଧ୍ୟାରେ ଏକ ବିରାଟ ପଟୁଆର, ଆକର୍ଷଣୀୟ ସାଜସଜ୍ଜା ସହିତ ମାଁ ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଥିଲା ।ପରମ୍ପରା ଅନୁଯାୟୀ ବାଘ ଷଣ୍ଢ,ପାଳ ଭୁତ, ବିଭିନ୍ନ ପ୍ରକାରର ବେଶଭୂଷା,ଦୁଲ୍ ଦୁଲି ଧୁମ୍ ଧଡାକା ଗୃପ୍ ଓ ଆତସବାଜି ରେ ବେଲଗୁଣ୍ଠା ସହର ପ୍ରକମ୍ପିତ ହୋଇଉଠିଥିଲା । ପଟୁଆରର ଆଜି ପ୍ରଥମ ଦିନ ହୋଇଥିବାରୁ ବେଲଗୁଣ୍ଠା ସହର ତଥା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଥିଲା ।ବିଭିନ୍ନ ପ୍ରକାରର ଆତସବାଜି ପ୍ରଦର୍ଶନ ବେଲଗୁଣ୍ଠା ଆକାଶକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋକିତ କରି ରଖିଥିଲା ।ପରିଚାଳନା କମିଟି ତରଫରୁ ଡାକବଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଇଥିଲା । ମାଁ ବ୍ରାହ୍ମଣ ଦେବୀ ବାଣ ପଟୁଆର ପରେ ଭୋର୍ ସମୟରେ ନିଜ ଅସ୍ଥାୟୀ ପୀଠରେ ବିଜେ କରିଥିଲେ । ରଙ୍ଗଣୀପାଟଣା ସାହି ତରଫରୁ ଏହା ମାଁ ଙ୍କ ପ୍ରଥମ ନଗର ପରିକ୍ରମା ଥିବାରୁ ପରମ୍ପରା ଅନୁଯାୟୀ ମାଁ ରଙ୍ଗଣୀପାଟଣା ବିଜେ କରିଥିଲେ । ମାଁ ଙ୍କୁ ପାଖରେ ପାଇଁ ରଙ୍ଗଣୀପାଟଣା ସାହି ବାସିନ୍ଦା ଭାବବିହ୍ୱଳ ହୋଇ ମାଁ ଙ୍କୁ ସ୍ୱାଗତ କରିଥିବା ଲକ୍ଷ୍ୟ କରାଯାଇଥିଲା ।ଏହି ଅବସରରେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ପ୍ରତି ଦିନ ସଂଧ୍ୟା ସମୟରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯିବା ନେଇ ସୂଚନା ମିଳିଛି ।ଆଜିର ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଯାତ୍ରା ମହୋତ୍ସବ ପରିଚାଳନା କମିଟି,କୋଳି ସାହି ଯାତ୍ରା କମିଟି ଓ ରଙ୍ଗଣୀପାଟଣା ସାହି ବାସିନ୍ଦା ପରିଚାଳନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଲଗୁଣ୍ଠା ଥାନା ତରଫରୁ ପୋଲିସ ମୁତୟନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ