ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ନରସଂହାର ପରେ ଭାରତ କଠୋର ପଦକ୍ଷେପ ସ୍ବରୂପ ପାକିସ୍ତାନ ଭିସା ତତ୍କାଳ ବାତିଲ କରିଛି । ଏହାସହ ୪୮ ଘଣ୍ଟା ମଧ୍ୟରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଚାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସୀମା ହାଇଦର । ଭାରତ ସରକାର ପାକିସ୍ତାନୀ ନାଗରିଙ୍କ ଭିସା ବାତିଲ କରିଥିବାରୁ ଏବେ ସୀମା ହାଇଦରଙ୍କ କ’ଣ ହେବ ? ତାଙ୍କୁ କ’ଣ ପୁଣି ପାକିସ୍ତାନ ଫେରିବାକୁ ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି ।
ସୀମା ହାଇଦରଙ୍କ ଓକିଲ ଏପି ସିଂ କହିଛନ୍ତି, ‘ଏ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ମାମଲା । ସୀମାଙ୍କୁ ଉତ୍ତରପ୍ରଦେଶ କୋର୍ଟ ତରଫରୁ ଜାମିନ୍ ମିଳିଯାଇଛି । ସୀମା ହାଇଦରଙ୍କ ସବୁ କାଗଜପତ୍ର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପାଖରେ ରହିଛି । ବର୍ତ୍ତମାନ ସୀମା ଦେଶରେ ଶରଣାର୍ଥୀ ରୂପରେ ରହୁଛନ୍ତି । ପରୋକ୍ଷ ଭାବରେ ରାଷ୍ଟ୍ରପତିଙ୍କ ପାଖରେ ତାଙ୍କର କାଗଜପତ୍ର ରହିଛି । ଏଭଳି ସ୍ଥିତରେ ତାଙ୍କୁ ଦେଶ ଛାଡ଼ିବାର ଆବଶ୍ୟକତା ନାହିଁ । ଯଦି ପହଲଗାମ ଆତଙ୍କୀ ଆକ୍ରମଣ ପରେ ସରକାର ଦେଇଥିବା ନିର୍ଦ୍ଦେଶ ସୀମାଙ୍କ ଉପରେ ଲାଗୁ ହୋଇପାରିବନି । ଏହା ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ସୀମାଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ ।’
ସୂଚନାଯୋଗ୍ୟ, ସୀମା ହାଇଦର ମୂଳତଃ ପାକିସ୍ତାନର ବାସିନ୍ଦା । ସେ PUBG ଖେଳୁଥିବା ସମୟରେ ଗ୍ରେଟର ନୋଏଡାର ରବୁପୁରାରେ ରହୁଥିବା ସଚ୍ଚିନ ମୀନାଙ୍କ ସହିତ ଯୋଗାଯୋଗରେ ଆସିଥିଲେ । ପବଜୀ ଖେଳୁଥିବା ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା ଓ ସେ ସ୍ୱାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ନିଜର ଚାରି ପିଲାଙ୍କୁ ସାଙ୍ଗରେ ନେଇ ନେପାଳ ଦେଇ ବେଆଇନ ଭାବରେ ଭାରତ ଆସିଗଲେ । ଏଠାରେ ସେ ଓକିଲ ଏ.ପି. ସିଂଙ୍କ ସହାୟତାରେ ସଚିନ ମୀନାଙ୍କୁ ବିବାହ କରିଥିଲେ ଓ ନିକଟରେ ତାଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଛି । ଅନ୍ୟପଟେ ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଗୁଲାମ କହିଛନ୍ତି, ଏହା ହିଁ ସଠିକ୍ ସମୟ ସୀମାଙ୍କୁ ଭାରତରୁ ବାହାର କରି ଦିଆଯାଉ । ଯଦି ତାଙ୍କୁ ବାହାର କରା ନଯାଏ ତେବେ ଭାରତରେ ହିଁ ଦଣ୍ଡ ଦିଆଯାଉ । ହେଲେ ମୋର ଚାରି ପିଲାଙ୍କୁ ପାକିସ୍ତାନ ପଠାଇ ଦିଆଯାଉ ।