Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେମତା ପୂର୍ବତନ ସମ୍ପାଦକଙ୍କ କଳା କାରନାମାସଭାପତି ଓ ସମ୍ପାଦକଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଣ ଅଭିଯୋଗ ପରେ ଜେଲ ଗଲେ ପୂର୍ବତନ ସମ୍ପାଦକ

ଝାରସୁଗୁଡା ୨୭/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁନୀଲ ସାହୁ ବର୍ତ୍ତମାନ କାର୍ଯ୍ୟରତ ସଭାପତି ଓ ସଂପାଦକଙ୍କ ଜାଲ ସିଲ ମୋହର ଓ ଜାଲ ଦସ୍ତଖତ ବ୍ୟବହାର କରି ସମିତିର ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଠାଣ କରିଥିବା ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଛି । ଏହାକୁ ଆଧାର କରି ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୂର୍ବତନ ସମ୍ପାଦକ ଶ୍ରୀ ସାହୁଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରା ଯାଇଥିବା ଥାନାଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ରେମତା ସମବାୟ ସମିତିର ସଭାପତି ଅନୀଲ ବାରିକଙ୍କ ଲିଖିତ ଅଭିଯୋଗ ଅନୁସାରେ ରେମତା ସମବାୟ ସମିତିର ଅଡିଟ ରିପୋର୍ଟ ପ୍ରସ୍ତୁତି କରିବାର ଥିବା ଯୋଗୁଁ ସମବାୟ ସମିତିର ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରିବା ପାଇଁ ଚଳିତ ବର୍ଷ ଫେବୃଆରୀ ୨୪ ତାରିଖ ଦିନ ସମିତିର ସଭାପତି ଶ୍ରୀ ବାରିକ ବେଳପାହାଡ଼ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇଥିଲେ । ମାତ୍ର ଉକ୍ର ବ୍ୟାଙ୍କରେ ପାସବହି ଅପଡେଟ କରିବା ପରେ ଜାଣିବାକୁ ପାଇଥିଲେ ଯେ ଗତ ୨୦୨୪ ଅକ୍ଟୋବର ୯ ତାରିଖରେ ୫୦ ହଜାର ଏବଂ ୨୦୨୪ ନଭେମ୍ବର ୫ ତାରିଖରେ ମଧ୍ୟ ୫୦ ହଜାର ଏପରି ମୋଟ ଏକ ଲକ୍ଷ ଟଙ୍କା ସମିତିର ଆକାଉଣ୍ଟରୁ ଉଠାଣ କରା ଯାଇଛି । ଏହା ଜାଣିବା ପରେ ସଭାପତି ଶ୍ରୀ ବାରିକ ବର୍ତ୍ତମାନ ସମ୍ପାଦକ ଦାୟିତ୍ୱରେ ରଘୁବୀର ସାହୁଙ୍କୁ ଫୋନ ଯୋଗେ ଟଙ୍କା ଉଠାଣ ସମ୍ପର୍କରେ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ । ଏହା ପରେ କିଏ ସମିତିର ଆକାଉଣ୍ଟରୁ ଏତେ ଟଙ୍କା ଉଠାଣ କରିଛି ତାର ସବିଶେଷ ତଥ୍ୟ ଦେବାକୁ ବ୍ୟାଙ୍କ ମ୍ୟାନେଜରଙ୍କୁ କହିବାରୁ ମୋର ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ପାଖକୁ ଯାଇ ବୁଝ ବୋଲି ସେ କହିଥିଲେ । ତା ପରେ ଆସିଷ୍ଟାଣ୍ଡ ମ୍ୟାନେଜର କହିଥିଲେ ଯେ ସୁନୀଲ ସାହୁ ବ୍ୟାଙ୍କକୁ ଆସି ଦୁଇ ଦିନରେ ୫୦ ହଜାର ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କା ନେଇଥିବା ପ୍ରକାଶ କରିଥିଲେ ।
ଏହା ଜାଣିବା ପରେ ସେହିଦିନ ସଭାପତି ଶ୍ରୀ ବାରିକ ଲଖନପୁର ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରକୁ ଆସି ଲିଖିତ ଭାବେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ଗୁରୁତ୍ୱ ସହ ବିଚାର କରି ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଆରସିଏସଙ୍କ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣା ପଡିଥିଲା । ରେମତା ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁନୀଲ ସାହୁ ସଭାପତି ଓ ସମ୍ପାଦକଙ୍କ ଜାଲ ସିଲ ମୋହର ଓ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଦୁଇ ଥରରେ ଏକ ଲକ୍ଷ ଟଙ୍କା ଉଠାଣ କରିଥିବା ଜଣା ପଡିଥିଲା । ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୂର୍ବତନ ସମ୍ପାଦକ ସୁନୀଲ ସାହୁକୁ ରେଙ୍ଗାଲି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ସୂଚନା ଥାଉକି ଏହା ପୂର୍ବରୁ ମଧ୍ୟ ରେମତା ସମବାୟ ସମିତିର ଅର୍ଥ ହେରଫେର ଅଭିଯୋଗରେ ପୂର୍ବତନ ସମ୍ପାଦକ ଶ୍ରୀ ସାହୁ ଜେଲଦଣ୍ଡ ଭୋଗିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ