ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଲସଦା ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଗେଟ


ଝାରସୁଗୁଡ଼ା ୨୭/୪ (ଓଡ଼ିଶା ନ୍ୟୁଜ) ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଲକ୍ଷାଧିକ ଟଙ୍କା ଯୋଗାଇ ଦେଉଛନ୍ତି । ଅଥଚ ବିଭାଗୀୟ ଅଧିକାରୀ ଏବଂ ସମ୍ପୃକ୍ତ ଠିକାସଂସ୍ଥା ର ଅବହେଳା ଯୋଗୁଁ ଉକ୍ତ ପ୍ରକଳ୍ପ ଗୁଡିକ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ବର୍ଷ ବର୍ଷ ଧରି ତାହା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଏପରି ଅଭିଯୋଗ ହେଉଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ପଲସଦା ଜନ ଆରୋଗ୍ୟ କେନ୍ଦ୍ର କ୍ଷେତ୍ରରେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ପଲସଦା ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ ମୁଖ୍ୟ ଗେଟ ନିର୍ମାଣ କାର୍ଯ୍ୟ ନିମନ୍ତେ ଅର୍ଥ ମଞ୍ଜୁରୀ ପ୍ରାପ୍ତ ହୋଇ ଟେଣ୍ଡର ହୋଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ନ ହୋଇ ତାହା ଅର୍ଦ୍ଧ ନିର୍ମିତ ଅବହେଳିତ ଅବସ୍ଥାରେ ପଡି ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ସୂଚନା ଯୋଗ୍ୟ ଯେ ପଲସଦା ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଗେଟ ନିର୍ମାଣ ନିମନ୍ତେ କେତେ ଟଙ୍କା ଅର୍ଥ ମଞ୍ଜୁରୀ ପ୍ରାପ୍ତ ହୋଇଥିଲା ଏବଂ ପ୍ରକଳ୍ପର କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ସମ୍ବନ୍ଧରେ କୌଣସି ସୂଚନା ଫଳକ ନାହିଁ । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ସମ୍ପୃକ୍ତ ଠିକାସଂସ୍ଥାର ଅବହେଳା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଦୀର୍ଘ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ପଲସଦା ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଗେଟର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏ ସମ୍ପର୍କରେ ଏନଆରଏଚଏମ ଏସଡିଓ ଅଶୋକ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଠିକାଦାରଙ୍କୁ ଅନେକ ଥର ତାଗିତ କରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରୁନାହିଁ । ଯଦି ଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରେ ତାହେଲେ ପାଇଥିବା ଟେଣ୍ଡରକୁ ବାତିଲ କରି ପୁନର୍ବାର ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି ।