ବିଦା ହେଉଛନ୍ତି ପାକିସ୍ତାନୀ, ଏହାପରେ ବାଂଲାଦେଶୀଙ୍କ ପାଳି


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ୍ ଆତଙ୍କାବଦୀ ଆକ୍ରମଣ ପରେ ଦେଶ ଭିତରେ ଥିବା ବିଦେଶୀ, ବିଶେଷକରି ପାକିସ୍ତାନୀ ଏବଂ ବାଂଲାଦେଶୀଙ୍କୁ ଦେଶକୁ ବାହାର କରାଯିବା ଅଭିଯାନ ଜୋର ହୋଇଛି । ପାକିସ୍ତାନୀ ଭାରତ ଛାଡ଼ିବା ଆରମ୍ଭ ହୋଇଯାଇଛି । ଆଉ ଏହି ଆକ୍ସନ ଦେଖି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଛାତି ହେବେ ଧଡ଼ ଧଡ଼ ହେବାରେ ଲାଗିଛି । କାରଣ, ପାକିସ୍ତାନୀ ବିଦା ହେବା ପରେ ଆରମ୍ଭ ହେବ ବାଂଲାଦେଶୀଙ୍କ ବିରୋଧରେ ଆକ୍ସନ । ଓଡ଼ିଶା ସରକାର ପକ୍ଷରୁ ଏ ଦିଗରେ ନେବାକୁ ଯାଉଛନ୍ତି ଆକ୍ସନ । ଖୁବଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିଦା କରାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

ପାକିସ୍ତାନୀ ନାଗିରକଙ୍କୁ ବିଦା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ଭୁବନେଶ୍ବର, ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର ଆଦି ସ୍ଥାନରୁ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ ନାଗରିକ । ଯେଉଁମାନେ କି ଦୀର୍ଘ ବର୍ଷ ଧରି ଏସବୁ ସ୍ଥାନରେ ରହି ଆସୁଥିଲେ । ଖାଲି ରହୁ ନଥିଲେ ଭାରତୀୟ ପରିଚୟ ପତ୍ର ହାତେଇ ସରକାରୀ ଯୋଜନାରେ ଲାଭ ବି ଉଠାଉଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନୀ ନାଗରିକଙ୍କୁ ବିଦା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ସାରା ଦେଶରେ ଧରପଗଡ଼ ଜୋର ଧରିଛି । ତଥ୍ୟ କହୁଛି ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି ।

ଗତକାଲି ବ୍ରହ୍ମପୁରରେ ରହୁଥିବା ପାକିସ୍ତାନୀ ନାଗରିକ ରାହିମା ଆରାଙ୍କୁ ନୋଟିସ୍ କରାଯାଇଥିଲା । ତେବେ ରାହିମା ଏବେ ବ୍ରହ୍ମପୁରରେ ନଥିବାରୁ ପୋଲିସ୍ ତାଙ୍କ ପରିବାରକୁ ନୋଟିସ୍ ଦେଇଛି । ରାହିମାଙ୍କ ଝିଅ ନିବେଦନ କରିଛନ୍ତି, ତାଙ୍କ ମାଆଙ୍କ କୌଣସି ସାହାରା ନଥିବାରୁ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ ।

ସେପଟେ ବାଲେଶ୍ବର ସୋର ଅଂଚଳରେ ରହୁଥିବା ଅନ୍ୟ ଜଣେ ପାକ୍ ନାଗରିକ ରେଜିଆ ସୁଲତାନାଙ୍କ ଘରେ ପୋଲିସ୍ ପହଞ୍ଚିଥିବା ବେଳେ ସେ ବି ଅନୁପସ୍ଥିତ ଥିଲେ । ରେଜିଆ ବାଲେଶ୍ବର ଆସି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି କାରଣରୁ ତାହା ହୋଇପାରି ନଥିଲା ।ତେଣେ ପାକିସ୍ତାନୀ ନାଗରିକ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ହଜାର ହଜାର ବାଂଲା ଅନୁପ୍ରବେଶକାରୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଛନ୍ତି । ପାକ୍ ନାଗରିକ ଚିହ୍ନଟ ପ୍ରକ୍ରିୟା ସରିବା ପରେ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ନିଜ ଦେଶକୁ ବିଦା କରିବାକୁ ଯୋଜନା କରିଛନ୍ତି । କେନ୍ଦ୍ରାପଡ଼ା, ବାସୁଦେବପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀ ରାସନ କାର୍ଡ ହାତେଇଥିବା ମଧ୍ୟ ନଜରକୁ ଆସିଛି । ତେବେ ଏଭଳି ଚଞ୍ଚକତା କିପରି ହେଲା ତାକୁ ନେଇ ଜିଲ୍ଲା ପ୍ରଶାସନ ବି ଆଶ୍ଚର୍ଯ୍ୟ ।

ଆଇନ୍ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ଛଦ୍ମବେଶରେ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । ପଶ୍ଚିମବଙ୍ଗରୁ ଛଦ୍ମ ପରିଚୟପତ୍ର ପ୍ରସ୍ତୁତ କରିଛନ୍ତି । ଏହାସହ ବିଗତ ସରକାର ଭୋଟ୍ ପାଇଁ ଏସବୁ ଅନୁପ୍ରବେଶକାରୀଙ୍କୁ ସରକାରୀ ଯୋଜନାରେ ସାମିଲ୍ କରିଥିଲେ । ଏଥର କିନ୍ତୁ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇ ରାଜ୍ୟରୁ ବିଦା କରାଯିବ । ଓଡ଼ିଶାରେ ବାଂଲା ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆଗକୁ ଆରମ୍ଭ ହେବାକୁ ଯାଉଥିବା ବେଳେ, ଗୁଜରାଟ ଅହମ୍ମଦାବାଦରେ କିନ୍ତୁ ଆଜି ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯାଇ ବେଆଇନ ଭାବେ ରହୁଥିବା ବାଂଲା ଅନୁପ୍ରେବଶକାରୀଙ୍କ ଘରକୁ ମାଟିରେ ମିଶାଇଛି ସ୍ଥାନୀୟ ପ୍ରଶାସନ ।