ଝାରସୁଗୁଡ଼ା ୧୫/୫ (ଓଡିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜୋନ-୩ ଅଞ୍ଚଳରେ ବିଷାକ୍ତ ପାଉଁଶ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଜନ ସାଧାରଣ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ଏହାର ଦୃଢ଼ ପ୍ରତିବାଦ ସ୍ୱରୂପ ୪ଟି ପଞ୍ଚାୟତର ଜନ ସାଧାରଣ ବିରାଟ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଆଜି କୁମ୍ଭାରବନ୍ଧ ସରପଞ୍ଚ କମଳ ଲୋଚନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ କୁମ୍ଭାରବନ୍ଧ ରାଜୀବ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କୁମ୍ଭାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ସ୍ଥିତ ଜେଏସଡବ୍ଲୁ ଇଣ୍ଡବରାଦ ତାପଜ ବିଦ୍ୟୁତ କେନ୍ଦ୍ରର ଚିମିନିରୁ ବାହାରୁ ଥିବା ପାଉଁଶ ଯୁକ୍ତ ଧୂଆଁ ଏବଂ ତେଲେନପାଲି ପଞ୍ଚାୟତ ସ୍ଥିତ ଇବ ଥର୍ମାଳ ବିଦ୍ୟୁତ ତାପଜ କେନ୍ଦ୍ର ଓ ଜେଏସଡବ୍ଲୁ ଇଣ୍ଡବରାଦ ଉଭୟ ପ୍ଳାଣ୍ଟରୁ ନିର୍ଗତ ପାଉଁଶକୁ ଶହ ଶହ ଭାରିଯାନ ଦ୍ୱାରା ବେଆଇନ ଭାବରେ ବିଭିନ୍ନ ସ୍ଥାନକୁ ପରିବହନ କରା ଯାଉଛି। ଯାହା ଦ୍ୱାରା ବିଷାକ୍ତ ପାଉଁଶ ଉଡ଼ି ଅଞ୍ଚଳର ସୁସ୍ଥ ପରିବେଶ ପ୍ରଦୂଷିତ ହେବା ସହ ଅଞ୍ଚଳବାସୀ ବିଭିନ୍ନ ରୋଗବ୍ୟାଧିରେ ପୀଡ଼ିତ ହେଉଥିବା ପ୍ରସଙ୍ଗକୁ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା । ଏହାରି ବିରୁଦ୍ଧରେ ବିହିତ ପଦକ୍ଷେପ ନେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସମ୍ବଲପୁର ଆରଡିସିଙ୍କୁ ଲିଖୁତ ଭାବେ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହମତି ହୋଇଥିଲା । ଏହା ପରେ ମଧ୍ୟ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି । ତାହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳାତ୍ମକ ପନ୍ଥା ଅବଳମ୍ବନ କରିବା ପାଇଁ ବାଧ୍ୟ ହେବେ ବୋଲି ଉପସ୍ଥିତ ଜନ ସାଧାରଣ ଚେତାବନୀ ଦେଇଛନ୍ତି । ଆଜିର ବୈଠକରେ ତିଲିଆ, ରମ୍ପେଳା, କୁମ୍ଭାରବନ୍ଧ ଓ ପିପିଲିକାନୀ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।
କଳ କାରଖାନା ଦ୍ଵାରା ପ୍ରଭାବିତ ୪ ପଞ୍ଚାୟତ ବାସୀଙ୍କ ବୈଠକ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ନିଷ୍ପତ୍ତି
