Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଆ କୋଳକୁ ଝୁରୁଛି ଶିଶୁକନ୍ୟା, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ଯବାନଙ୍କ ପରିବାର, ନିରପେକ୍ଷ ତଦନ୍ତ ପାଇଁ ଦାବି

ଝାରସୁଗୁଡା,୧୮/୫(ଓଡ଼ିଶା ନ୍ୟୁଜ) ମା’ କୋଳର ଉଷ୍ମତା ପାଇବା ପୂର୍ବରୁ ମା’ କୁ ହରାଇଛି ନବଜାତ ଶିଶୁକନ୍ୟା । ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତାପରେ ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନା ଏବଂ ପରିଶେଷରେ ବୁର୍ଲା ଭିମସାରରେ ଚିକିତ୍ସିତ ହେଲେ । କିନ୍ତୁ ଶେଷରେ ଲିପି ଜୀବନ ଯୁଦ୍ଧରେ ହାରିଯାଇ ଆର ପାରିକି ଚାଲିଗଲେ । ଆଉ ଏହି ଅକାଳ ମୃତ୍ୟୁ ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ମୃତକଙ୍କ ସ୍ବାମୀ ଯବାନ ଦେବରାଜ ଗଣ୍ଡଙ୍କ ପରିବାର ।
ଲଖନପୁର ବ୍ଲକ ଟେଙ୍ଗେନାମାଲ ଗ୍ରାମର ଯବାନ ଦେବରାଜ ଗଣ୍ଡ ନିଜର ପ୍ରସୂତି ପତ୍ନୀ ଲିପି ଗଣ୍ଡଙ୍କୁ ହରାଇବା ପରେ ଗଣମାଧ୍ୟମ ଆଗରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ଏଠିକାର ସରକାରୀ ସ୍ବାସ୍ଥ୍ୟ ସେବାର ଅସଲ ମୁଖା ଖୋଲି ଦେଇଛି । ଏସ୍ଏସ୍‌ବି ଯବାନ ଦେବରାଜ ଗଣ୍ଡ ନିଜର ପ୍ରସୂତି ସ୍ତ୍ରୀଙ୍କୁ ଆଇସିୟୁରେ ଓ ନବଜାତ ଶିଶୁ କନ୍ୟାକୁ ଛାଡ଼ି ଦେଶ ମାତୃକାର ରକ୍ଷା ଲାଗି ସୀମାକୁ ବାହାରି ପଡ଼ିଥିଲେ । କିନ୍ତୁ ଅଧା ବାଟରେ ତାଙ୍କୁ ଫୋନ କଲ ଆସେ ଯେ ତାଙ୍କ ସ୍ତ୍ରୀ ଲିପି ଗଣ୍ଡ ଆରପାରିକୁ ଚାଲି ଯାଇଛନ୍ତି । ଏହା ଶୁଣି ସେ ସ୍ତବ୍ଧ ହୋଇ ଯାଇଥିଲେ । ଗୋଟିଏ ପଟେ ଦେଶ ସୁରକ୍ଷାର ଦାୟିତ୍ଵ ଏବଂ ଅନ୍ୟପଟେ ତାଙ୍କର ଜୀବନ ସାଥୀଙ୍କ ଶେଷ ଦର୍ଶନ । ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ସ୍ତ୍ରୀର ଶେଷ ଦର୍ଶନ କରି ପାରିଥିଲେ ଯବାନ ଦେବରାଜ । ଦେବରାଜଙ୍କ ଏଭଳି ତ୍ୟାଗ ଦେଶ ପାଇଁ ଗର୍ବର ବିଷୟ ବୋଲି ରାଜ୍ୟ ସାରା ଚର୍ଚ୍ଚା ଚାଲିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସ୍ବାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଉପରେ । ଯଦି ସ୍ବାସ୍ଥ୍ୟ ବିଭାଗ ଠିକ ଭାବେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତା ହୁଏତ ଲିପିଙ୍କୁ ଆଜି ହରାଇବାକୁ ପଡ଼ିନଥାନ୍ତି ।
ସୂଚନା ଯୋଗ୍ୟ ଯେ ଯବାନ୍ ଦେବରାଜ ଗଣ୍ଡ ବୁର୍ଲା ବଡ଼ ଡାକ୍ତରଖାନାର ଆଇସିୟୁରେ ସ୍ତ୍ରୀ ଲିପି ଏବଂ ୧୩ ଦିନର ନବ ଜାତ ଝିଅକୁ ପରିବାର ଲୋକଙ୍କ କୋଳରେ ଛାଡି ସୀମାରେ ଉତ୍ତେଜନା ମୂଳକ ସ୍ଥିତିକୁ ଆଖି ଆଗରେ ରଖି ନିଜ କର୍ମକ୍ଷେତ୍ରକୁ ଗତ ୧୧ ତାରିଖରେ ଫେରି ଯାଇଥିଲେ । ଦେଶ ଆଗ କହି ଦେବରାଜ ସୀମାକୁ ଯାଇଥିବା ବେଳେ ଏପଟେ ସୋମବାର ବିଳମ୍ବିତ ରାତିରେ ଦେବରାଜଙ୍କ ସ୍ତ୍ରୀ ଲିପି ଗଣ୍ଡଙ୍କ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ଟେଙ୍ଗେନାମାଲ ଗାଁରେ ଲିପିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ହେଲେ ଲିପିଙ୍କ ଏହି ଅକାଳ ମୃତ୍ୟୁ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ କାଠଗଡାରେ ଛିଡା କରାଇଛି । ଦେଶର ସୁରକ୍ଷା ପାଇଁ ସୀମାରେ କାର୍ଯ୍ୟରତ ଜଣେ ଯବାନଙ୍କ ପତ୍ନୀଙ୍କ ଏଭଳି ମୃତ୍ୟୁ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି ଏବଂ ସେମାନେ ନିରପେକ୍ଷ ଭାବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।
ଶନିବାର ଦିନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଟେଙ୍ଗେନାମାଲ ଗାଁ ସ୍ଥିତ ଯବାନଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ