ଲକ୍ଷ୍ମୀପୁର ୨୫/୦୫ (ପରମେଶ୍ୱର ସାହୁ )…ଅଦିନିଆ କାଳ ବୈଶାଖୀ ର କରାଳ ରୂପ ହଉ କିମ୍ବା ବର୍ଷା ଦିନର କଳାହାଣ୍ଡିଆ ମେଘ ଆସିବା କ୍ଷଣି କୋରାପୁଟ ଜିଲ୍ଲା ରେ ଘଡଘଡି ପବନ ସହ ପ୍ରବଳ ବର୍ଷା ହୋଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତଥା ପାହାଡ ପର୍ବତ ଘେରା କୋରାପୁଟ ଜିଲ୍ଲା ରେ ସେହି ଘଡଘଡି ବର୍ଷା ପୂର୍ବରୁ ବଜ୍ରପାତ କିନ୍ତୁ ଅନେକ ଲୋକଙ୍କ ସୁନାର ସଂସାର କୁ କ୍ଷଣିକ ମଧ୍ୟରେ ଚୁନା କରିଦେଇ ଚାଲି ଯାଇଥାଏ।ବଜ୍ରପାତ କାରଣରୁ ପ୍ରତିବର୍ଷ ଜିଲ୍ଲା ରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଗାଇ ଗୋରୁ ଛେଳି ମେଣ୍ଢା ଙ୍କ ର ମଧ୍ୟ ମୃତ୍ୟୁ ହୋଇଥାଏ। ରାଜ୍ୟ ସରକାର ସମୁଦ୍ର କୁ ଶଙ୍ଖେ ଭଳି ସାହାଯ୍ୟ କରିଥାନ୍ତି, କିନ୍ତୁ ପ୍ରତିବର୍ଷ କେବଳ କୋରାପୁଟ ଜିଲ୍ଲା ରେ କାହିଁକି ଅଧିକ ବଜ୍ରପାତ ହୁଏ ଓ ଏଥିପାଇଁ କିଭଳି ଲୋକଙ୍କୁ ସଚେତନ କରାଗଲେ ବଜ୍ର ପାତ ଜନିତ ମୃତ୍ୟୁ ରୋକା ଯାଇପାରିବ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ନଦେବା ଆଲୋଚ୍ୟ ର ବିଷୟ ପାଲଟିଛି।କୋରାପୁଟ ଜିଲ୍ଲା ର ଆଦିମ ଆଦିବାସୀ ସମ୍ପ୍ରଦାୟ ର ଲୋକେ ସାଧାରଣତଃ କୃଷି ବଣ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି, ଆଦିବାସୀ ସମ୍ପ୍ରଦାୟ ର ଲୋକେ ଦିନରେ ବିଲ ବାଡ଼ିରେ କାମ କରିବାକୁ ଯାଇଥିବା ବେଳେ ଅନେକ ଲୋକେ ନିଜ ନିଜ ଗୃହ ପାଳିତ ପଶୁ ଙ୍କୁ ଚରାଇବା ସକାଶେ ଜଙ୍ଗଲ ରେ ଯାଇଥାନ୍ତି। ଲୋକେ ବିଲ ରେ କିମ୍ବା ଜଙ୍ଗଲ ରେ ଥିବା ସମୟରେ ହଠାତ ଘଡଘଡ଼ି ସହ ବଜ୍ରପାତ ହେବା ମାତ୍ରେ ସେମାନେ ଉପାୟ ଶୂନ୍ୟ ହୋଇ ଦୌଡ଼ି ଥାନ୍ତି, କିନ୍ତୁ ବିଲବାଡ଼ି ଥିବା ସ୍ଥାନ ମାନଙ୍କ ଆଶ୍ରୟ ସ୍ଥାନ ନଥିବା କାରଣରୁ ଗଛ ମୂଳ ରେ ଆଶ୍ରୟ ନେବା ସମୟରେ ବଜ୍ରପାତ ପଡି ଅନେକ ଲୋକଙ୍କ ସମେତ ଗୃହ ପାଳିତ ପଶୁ ମାନଙ୍କ ର ଅକାଳରେ ମୃତ୍ୟୁ ହୋଇଥାଏ। ମୃତ୍ୟୁ ପରେ କାହାର ଘର ସଂସାର ଚୁରମାର ହୋଇଯାଇଥାଏ ତ କାହାର ସମ୍ପୂର୍ଣ ଭାବେ ଗୃହ ପାଳିତ ପଶୁ ମରିଯିବା କାରଣରୁ ଆର୍ଥିକ ମେରୁ ଦଣ୍ଡ ଭାଙ୍ଗି ଯାଇଥାଏ। ଏଭଳି ସ୍ତିତି ରେ ସରକାର ଙ୍କ ତରଫରୁ ରାଜସ୍ବ ବିଭାଗ ଦ୍ୱାରା କ୍ଷୟ କ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦିଆଯାଇଥାଏ କିନ୍ତୁ ତାହା ପର୍ଯ୍ୟାପ୍ତ ହୋଇନଥାଏ। ଯଦି ଲୋକଙ୍କ ମୃତ୍ୟୁ ହୋଇଥାଏ ତାହେଲେ ସରକାର ଙ୍କ ତରଫରୁ ରେଡ଼କ୍ରସ ତରଫରୁ ୧୦ ହଜାର ପ୍ରଦାନ କରାଯାଇଥାଏ ଓ ପରେ ସମସ୍ତ ରିପୋର୍ଟ ଆସିବ ପରେ ୪ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଇଥାଏ।ଚଳିତ ବର୍ଷ ବଜ୍ରପାତ ରେ ଲକ୍ଷ୍ମୀପୁର ରେ ୩ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ସେମିଲିଗୁଡା ରେ ଜଣଙ୍କ ର ମୃତ୍ୟୁ ହୋଇଛି। ଶତାଧିକ ଛେଳି,ମେଣ୍ଢା,ଗାଇ,ମଇଁଷି ଙ୍କ ର ମଧ୍ୟ ମୃତ୍ୟୁ ହୋଇଛି।ଏହାକୁ ବାଦ ଦେଲେ ବଜ୍ରପାତ କାରଣରୁ ଘରେ ଥିବା ବୈଦ୍ୟୁତିକ ସାମଗ୍ରୀ ଯଥା ଟିଭି, ପଙ୍ଖା, କୁଲର, ଏଲଇଡ଼ି, କମ୍ପୁଟର,ୱାସିଙ୍ଗ ମେସିନ ଭଳି ବିଭିନ୍ନ ସାମଗ୍ରୀ ମଧ୍ୟ ପୋଡି ନଷ୍ଟ ହୋଇଯାଇଥାଏ।ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଏହାକୁ ନେଇଁ କହିଛନ୍ତି ରାଜ୍ୟ ସରକାର ବଜ୍ରପାତ ରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଙ୍କ ପରିବାର କୁ ଅଧିକ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି।.ରାଜ୍ୟ ରେ କୋରାପୁଟ ଜିଲ୍ଲା ରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ରହିଥାଏ, ପାହାଡିଆ ଅଂଚଳ ଏଥି ସକାଶେ ମୁଖ୍ୟତଃ ଦାୟୀ ବୋଲି ସାଧାରଣ ରେ ଆଲୋଚନା କରାଯାଇଥାଏ।ଏହାର କାରଣ ଖୋଜି ବିକଳ୍ପ ବ୍ୟବସ୍ଥା କରାଯିବା କଥା,, ଏପରିକି ଚାଷୀ ମାନଙ୍କୁ ଓ ସାଧାରଣ ଲୋକଙ୍କୁ ଏଥି ସକାଶେ ସରକାର ଙ୍କ ତରଫରୁ ଅଧିକ ରୁ ଅଧିକ ଜନସଚେତନତା କାର୍ଯ୍ୟକ୍ରମ କରାଯିବା କଥା ବୋଲି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ପ୍ରକାଶ କରିଛନ୍ତି,, ସେ ଆହୁରି ମଧ୍ୟ କହିଛନ୍ତି କି ସରକାର ବଜ୍ରପାତ ରେ ମୃତ୍ୟୁ ରେ ଅନୁକମ୍ପା ରାଶି ୪ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରନ୍ତୁ ବୋଲି କହିଛନ୍ତି। ବଜ୍ରପାତ ଜନିତ ଘଟଣା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବାର ଆବଶ୍ୟକତା ରହିଛି, କେନ୍ଦ୍ର ସରକାର ଏଥି ସକାଶେ ଏକ ବିଲ ପାରିତ କରିଥିଲେ, କିନ୍ତୁ କିଛି କାରଣ କୁ ନେଇଁ ବନ୍ଦ କରିଦେଇଥିବା ସାଂସଦ କହିଛନ୍ତି। ବଜ୍ରପାତ ଜନିତ ମୃତ୍ୟୁ କେବଳ ଚଳିତ ବର୍ଷ ରେ ହୋଇନାହିଁ, ଜିଲ୍ଲା ରେ ପ୍ରତିବର୍ଷ ଅନେକ ନିରୀହ ଲୋକଙ୍କ ଜୀବନ ଚାଲି ଯାଇଥାଏ , ଗତ କିଛି ବର୍ଷ ତଳେ ପଡିଆ ରେ କ୍ରିକେଟ ଖେଳୁଥିବା ସମୟରେ ବଜ୍ର ପାତ ହୋଇ ୫ ଜଣ ପିଲା ଙ୍କ ର ଅକାଳ ମୃତ୍ୟୁ ଲକ୍ଷ୍ମୀପୁର ରେ ହୋଇଥିଲା। ସଚେତନତା
ର ଅଭାବ କାରଣରୁ ବଜ୍ରପାତ ପରେ ଗୁରୁତର ଲୋକଙ୍କୁ ଗୋବର ଗଦା ରେ ମଧ୍ୟ ଦୀର୍ଘ ସମୟ ଧରି ପୋତିକି ରଖିଥିବା ଦୃଶ୍ୟ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି ତେଣୁ ଆବଶ୍ୟକ ସଚେତନତା କରାଯିବା ଜରୁରୀ ହୋଇ ପଡିଛି..ଅନ୍ୟପକ୍ଷ ରେ ରାଜ୍ୟ ସରକାର କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ରେ ବଜ୍ରପାତ ରୁ ସାଧାରଣ ଜୀବନ କୁ ବଞ୍ଚାଇବା ସକାଶେ ତାଳ ଗଛ ଓ ନଡ଼ିଆ ଗଛ ଲଗାଇବା ସକାଶେ ହାତକୁ ନେଇଥିଲେ, କିନ୍ତୁ ସେହି ଯୋଜନା କାର୍ଯ୍ୟକ୍ଷମ ହେବା ପୂର୍ବରୁ ନାଲିଫିତା ତଳେ ରହିଯାଇଥିବା ଜଣାପଡିଛି। ବଜ୍ରପାତ ଦାଉରୁ ରକ୍ଷା ପାଇବା ସକାଶେ ଉଚ୍ଚ ଉଚ୍ଚ ଗଛ ଓ ବିରାଟ ବାଦ ବଡ଼ ପୁରୁଣା ଗଛ ର ଆବଶ୍ୟକତା ରହିଥିବା ବେଳେ ଜଙ୍ଗଲ କ୍ଷୟ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି।
କୋରାପୁଟ ରେ ବଜ୍ରପାତ ନେଉଛି ଲୋକଙ୍କ ଜୀବନ, ପରିବାର ହଉଛନ୍ତି ହନ୍ତସନ୍ତ, ଗୃହ ପାଳିତ ପଶୁ ଙ୍କ ଅକାଳ ମୃତ୍ୟୁ ପରେ ସର୍ବସାନ୍ତ୍ୱ ହେଉଛନ୍ତି ଆଦିବାସୀ।ଜଙ୍ଗଲ କ୍ଷୟ ହିଁ ମୁଖ୍ୟ ଦାୟୀ।
