ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତା ମାଟିଖାଇ ନୂଆ ବସ୍ତି ପାଖରେ କାର ଦୁର୍ଘଟଣା : ତିନି ଗୁରୁତର ଓ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର


ଉଲୁଣ୍ଡା : (ସୌମିତ୍ରି ମେହେର) ଉଲୁଣ୍ଡା ଥାନା ଅନ୍ତର୍ଗତ ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତା ମାଟିଖାଇ ନୂଆବସ୍ତି ଠାରେ ରବିବାର ବିଳମ୍ବିତ ରାତି ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ନାବାଳକ ସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାର ଭିତରୁ ଏକ ବନ୍ଧୁକ ଏବଂ ଅଫୁଟା ଗୁଳି ଜବତ ହୋଇଛି । ସୂଚନା ଅନୁଯାୟୀ ବିଳମ୍ବିତ ରାତି ଉଲୁଣ୍ଡା ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର ଓଡି- ୧୫-ଭି-୦୮୦୦ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ବିଦ୍ୟୁତ ଖୁଂଟକୁ ପିଟି ଓଲଟି ପଡିଥିଲା । ଫଳରେ ବିଦ୍ୟୁତ ଖୁଂଟ ଭାଙ୍ଗି କାରଟି ଚୁରମାର ହୋଇଯାଇଛି । କାର ଭିତରେ ଥିବା ଜଣେ ନାବାଳକ କାର ଭିତରୁ ବାହାରି ରାସ୍ତା ପାର୍ଶ୍ୱରେ ଥିବା ଏକ ଛୋଟ ଗଛ ଉପରକୁ ଛିଟିକି ପଡିଥିବା ବେଳେ ଅନ୍ୟ ଦୁଇ ଜଣ କାର ଭିତରେ ଚାପି ହୋଇ ରହିଥିଲେ । ଦୁର୍ଘଟଣାରେ ସମ୍ବଲପୁରର ଦୀପକ ପ୍ରକାଶ ପ୍ରଧାନ (୧୨), ଆଶୁତୋଷ ପ୍ରଧାନ (୨୯) ଏବଂ ତ୍ରିକେଶ କୁମାର ପ୍ରଧାନ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନା ପଠାଇଥିଲା । ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାର ଭିତରୁ ଏକ ବନ୍ଧୁକ ସହିତ କିଛି ଅପୁଟା ଗୁଳି ଜବତ ହୋଇଛି । ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରିଥିବା ଜଣାପଡିଛି । ତେବେ କେତୋଟି ଗୁଳି ଜବତ ହୋଇଛି ପୁଲିସ ସେନେଇ ସୂଚନା ଦେଇନଥିବା ବେଳେ ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି । ତେବେ ଜବତ ବନ୍ଧୁକ ବେଆଇନ ହୋଇଥିବା ଅନୁମାନ କରାଯାଉଥିବା ବେଳେ କେଉଁ ଉଦ୍ଦେଶ୍ୟରେ ସେମାନେ ପାଖରେ ବନ୍ଧୁକ ରଖିଥିଲେ ସେନେଇ ପୁଲିସ ଅଧିକ ଖୋଲତାଡ କରୁଥିବା ଜଣାପଡିଛି ।