ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ବୁଧବାର ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ସୁବଳୟା ବଡ଼ଦାଣ୍ଡରେ ରଥ ଉପରେ ଅନୁଷ୍ଠିତ ଠାକୁରମାନଙ୍କର ଏହି ବେଶ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ରଥ ଉପରେ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର , ଦେବୀ ସୁଭଦ୍ରାଙ୍କ ସହ ଶ୍ରୀଦଧିବାମନ ଜୀଉଙ୍କ ସୁନାବେଶ ହୋଇଥିଲା। ଠାକୁରମାନଙ୍କୁ ସୁନାରେ ନିର୍ମିତ ମକୁଟ , ମାଳି , ନାକ ଚଣା ଓ ବାହୁଟି ଆଦି ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ସୁବଳୟା ଜଗନ୍ନାଥ ମନ୍ଦିରର ପୂଜକ ସନ୍ତୋଷ ପୂଜାରୀ , ଘାସିରାମ ପୂଜାରୀ , ବିଶ୍ୱ ରଞ୍ଜନ ପୂଜାରୀ ଓ ସମ୍ପଦ ପୂଜାରୀ ପ୍ରମୁଖ ଠାକୁରମାନଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ଏହି ଅବସରରେ ସଙ୍କୀର୍ତ୍ତନ ଓ ଘଣ୍ଟବାଦ୍ୟ ସମେତ ଭକ୍ତି ଆରାଧନା ଗ୍ରୁପ୍ ଦ୍ଵାରା ଭଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ୱାଇ ଏସ ଏ କ୍ଲବ ଓ ଜଗନ୍ନାଥ ସେନା ପକ୍ଷରୁ ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଭକ୍ତମାନଙ୍କ ହରିବୋଲ , ହୁଳହୁଳି ଧ୍ୱନିରେ ସ୍ଥାନୀୟ ପରିବେଶ ମୁଖରିତ ହୋଇଥିବା ଦେଖିବାକୁ ମିଳିଛି।
ସୁବଳୟା ରେ ଶ୍ରୀ ଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ
