ବୀରମହାରାଜପୁର : (ସୌମିତ୍ରି ମେହେର) ଲଗାଣ ବର୍ଷା ଯୋଗୁଁ ପୁଣିଥରେ ଖୋଲିଲା ହରିହର ଯୋର ଡ୍ୟାମର ଗେଟ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହିରହର ଯୋର ଡ୍ୟାମରୁ ଆଜି ପୁଣିଥରେ ଗୋଟିଏ ଗେଟଦେଇ ବନ୍ୟାଜଳ ନିସ୍କାସିତ କରାଯାଇଛି । ଲଗାଣ ବର୍ଷାରେ ଡ୍ୟାମରେ ଗତ ୨୦ ତାରିଖରେ ପୂଜା ପାଠ ପରେ ଏବର୍ଷର ପ୍ରଥମ ବନ୍ୟାଜଳକୁ ଗୋଟିଏ ଗେଟଦେଇ ନିସ୍କାସନ କରାଯାଇଥିଲା । ତେବେ ଦିନକ ପରେ ସେହି ଗେଟକୁ ବନ୍ଦ କରିଦିଆଯାଇଥିଲା । ଡ୍ୟାମର ଜଳଧାରଣ କ୍ଷମତା ବିପଦ ସଂକେତ ୧୪୭.୫୦୦ ମିଟର ରହିଥିବାବେଳେ ତାହା ଶୁକ୍ରବାର ସକାଳ ୮ଟା ସମୟରେ ୧୪୫.୬୬ ମିଟର, ୧୧ ଟାରେ ୧୪୬.୦୦୦ ମିଟର ଏବଂ ୧ଟା ସୁଦ୍ଧା ଜଳ ବୃଦ୍ଧିପାଇ ୧୪୬.୦୨୦ ମିଟରରେ ପହଂଚିଥିଲା । ଡ୍ୟାମରେ ଅଧିକ ମାତ୍ରାରେ ଜଳ ପ୍ରବେଶ କରୁଥିବାରୁ ଅପରାହ୍ନରେ ପୁଣିଥରେ ୪ ନମ୍ବର ସ୍ପିଲ ଗେଟଦେଇ ବନ୍ୟାଜଳ ନିସ୍କାସନ କରାଯାଇଥିବା ଜଣାଯାଇଛି । ତେବେ ଗେଟ ଖୋଲିବା ପୁର୍ବରୁ ଡ୍ୟାମରେ ସାଇରନ ବଜାଇ ସତର୍କ କରାଇବା ସହ ଡ୍ୟାମ ତଳି ଅଂଚଳରେ ଥିବା ଲୋକଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାଯାଇଛି । ଏହି ବନ୍ୟାଜଳ ନିସ୍କାସନ ସମୟରେ ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ , ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା ଏବଂ ସହକାରୀ ଯନ୍ତ୍ରୀ ସମୀରକାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ତେବେ ଡ୍ୟାମରେ ଅଧିକ ଥିବା ଜଳରାଶି ପୁଣିଥରେ ୭୦ ପ୍ରତିଶତକୁ ଖସିଲା ପରେ ପୁନର୍ବାର ଖୋଲାଯାଇଥିବା ଗେଟକୁ ବନ୍ଦ କରିଦିଆଯିବ ବୋଲି ସହକାରୀ ଯନ୍ତ୍ରୀ ସମୀରକାନ୍ତ ସିଂ ସୂଚନା ଦେଇଛନ୍ତି ।
ଚାରି ନମ୍ବର ଗେଟ ଦେଇ ପୁଣି ହରିହର ଜୋର୍ (ଠେଙ୍ଗୋ) ରୁ ବନ୍ୟା ଜଳ ନିଷ୍କାସିତ
