Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌସୁମୀ ବର୍ଷା ଉଭାନ,ମେଗା ଲିଫ୍ଟ ପ୍ରକଳ୍ପରେ ଝୁଲୁଛି ତାଲା ଚାଷ ଜମି ଫାଟି ଆଁ, ଚିନ୍ତାରେ ଚାଷୀକୁଲ

ଝାରସୁଗୁଡ଼ା ୫/୮ (ଓଡ଼ିଶା ନ୍ୟୁଜ) ମୌସୁମୀ ବର୍ଷା ଉଭାନ ହୋଇ ଗଲାଣି । ଟାଣ ଖରା ଯୋଗୁଁ ଚାଷଜମିର ପାଣି ଶୁଖି ମାଟି ଫାଟି ଆଁ କଲାଣି । ଏଭଳି ସ୍ଥିତିରେ ଚାଷଜମିକୁ ପାଣି ଦେବା ପରିବର୍ତ୍ତେ ଏକ ମାତ୍ର ସାହା ଭରଷା ଥିବା ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ କିନ୍ତୁ ତାଲା ଝୁଲୁଛି। ଏପରି ସଙ୍ଗୀନ ଅଭିଯୋଗ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳରେ।
ସ୍ଥାନୀୟ ଚାଷୀଙ୍କ ତଥ୍ୟ ଅନୁଯାୟୀ କଣ୍ଡେଇକେଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗାଁ ନିକଟରେ ଥିବା ହୀରାକୁଦ ଜଳଭଣ୍ଡାର କୂଳରେ ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରା ଯାଇଛି । ଏହା ଦ୍ବାରା କଣ୍ଡେଇକେଲା ଓ ରେମତା ପଞ୍ଚାୟତର ୧୨୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାର ପ୍ରାବଧାନ ରହିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଦିର୍ଘ ଦିନ ହେଲା ଉକ୍ତ ପ୍ରକଳ୍ପଟି ଅଚଳାବସ୍ଥା ହୋଇ ପଡିଛି । ବର୍ତ୍ତମାନ ୧୯ ଖଣ୍ଡ ମୌଜା ଅଞ୍ଚଳରେ ପାଣିର ଘୋର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଏପରି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଥାପିତ ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପରିବର୍ତ୍ତେ ପ୍ରକଳ୍ପ ଗେଟରେ ତାଲା ଝୁଲୁଛି । ଏପରିକି ଉକ୍ତ ସ୍ଥାନରେ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ପାଇଁ ଜଣେ ହେଲେ କର୍ମଚାରୀ ନାହାନ୍ତି । ବର୍ତ୍ତମାନ ମୌସୁମୀ ବର୍ଷା ସମ୍ପୂର୍ଣ୍ଣ ଭାବେ ଉଭାନ ହୋଇ ଯାଇଥିବା ବେଳେ ଟାଣ ଖରାରେ ଚାଷଜମିର ପାଣି ଶୁଖି ଗଲାଣି । ଏଭଳି ସ୍ଥିତିରେ ଚାଷୀ ମାନେ କଣ କରିବେ ସେ ନେଇ ସ୍ଥାନୀୟ ଚାଷୀ ମହଲରେ ଭାଲେଣି ପଡ଼ିଥିବା କିରିତମାଲ ଗାଁର ବରିଷ୍ଠ ଚାଷୀ ଜଗବନ୍ଧୁ ସା ପ୍ରକାଶ କରିଛନ୍ତି । ତେଣୁ ସ୍ଥାନୀୟ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମେଗା ପ୍ରକଳ୍ପ କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରି ଚାଷଜମି କୁ ପାଣି ଯୋଗାଇ ଦେବାକୁ ଜଗବନ୍ଧୁ ସା, ସଦାନନ୍ଦ ପଧାନ,ଆନନ୍ଦ ପଧାନ,ନରେଶ ପଧାନ,ସୂର୍ଯ୍ୟ ବିଶି,ଚନ୍ଦ୍ରାଜିତ ସେଟ,ଦୟନିଧି ପଧାନଙ୍କ ଅଞ୍ଚଳର ସମସ୍ତ ଚାଷୀ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛନ୍ତି ।
ଏ ସମ୍ପର୍କରେ ମେଗା ଉଠା ଜଳସେଚନ ପ୍ରକଳ୍ପ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗଣେଶ କୁମାର ତରାଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ପୂର୍ବରୁ ପ୍ରକଳ୍ପ ପରିଚାଳନା ଦାୟିତ୍ୱରେ ଥିବା ଏଲଏଣ୍ଡଟି କମ୍ପାନୀର ଟେଣ୍ଡର ଅବଧି ସମ୍ପୂର୍ଣ୍ଣ ହୋଇ ଯାଇଛି । ତେଣୁ ଗତ ୨୦୨୪ ଡିସେମ୍ବର ମାସରେ ସରକାରଙ୍କ ପକ୍ଷରୁ ପ୍ରକାଶ କରା ଯାଇଥିବା ପ୍ରଥମ ଟେଣ୍ଡର ପ୍ରକ୍ରିୟାରେ କୌଣସି ଠିକାସଂସ୍ଥା ଭାଗ ନେଇ ନଥିଲେ । ତେଣୁ ତାକୁ ବାତିଲ କରି ଚଳିତ ବର୍ଷ ଫେବୃଆରୀ ମାସରେ ପୁନର୍ବାର ଦ୍ଵିତୀୟ ଥର ଟେଣ୍ଡର ଆହ୍ୱାନ କରା ଯାଇଥିଲା । ଏଥିରେ ଏଲଏଣ୍ଡଟି ଓ ବିଶ୍ୱରାଜ କମ୍ପାନୀ ଭାଗ ନେଇଥିବା ବେଳେ ବିଶ୍ୱରାଜ କମ୍ପାନୀକୁ ଉକ୍ତ ପ୍ରକଳ୍ପ ପରିଚାଳନା ପାଇଁ ଦାୟିତ୍ୱ ମିଳିଛି । କିନ୍ତୁ ବିଶ୍ୱରାଜ କମ୍ପାନୀ ନୂତନ ଭାବେ ଦାୟିତ୍ୱ ମିଳିଥିବା ଯୋଗୁଁ ସରକାରଙ୍କ ସହିତ ଚୁକ୍ତିନାମା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଯଥାଶୀଘ୍ର ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ