ଉଲୁଣ୍ଡା ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୭୭ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୫୭ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୨୦ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତନ୍ମଧ୍ୟରୁ ୦୧ ଗୋଟି ଆବେଦନ ପତ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମିଳିବା ପାଇଁ ହସ୍ତଗତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ସମୟରେ ପଞ୍ଚମହଲା ଗ୍ରାମ ପଞ୍ଚାୟତର କୁକିଆ ଗ୍ରାମର ଜଣେ ଭିନ୍ନକ୍ଷମ ମହିଳା ସରୋଜିନୀ ଲୁହାଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ରିକ୍ସା ପ୍ରଦାନ କରାଯାଇଥିଲା । ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଉଲୁଣ୍ଡା ବିଡ଼ିଓ ଚିନ୍ମୟ କୁମାର ମହାନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେରଙ୍କ ସମେତ ଉଲୁଣ୍ଡା ତହସିଲଦାର ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ , ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ , ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନିଶା ମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ ।