Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ୱାଜିରାବାଦ ଗାଁରେ ପ୍ରସିଦ୍ଧ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଅଜ୍ଞାତ ବାଇକ୍ ଆରୋହୀ ମାନେ ଗତକାଲି ସକାଳ ସମୟରେ ପ୍ରାୟ ୨୪ ରାଉଣ୍ଡ ଗୁଳି ଚଳାଇଥିବା ଘଟଣା ସାମ୍ନାକୁ ଆସିଛି।

ଘଟଣା ସମୟରେ ତାଙ୍କ ମାଆ ସୁଷମା ଯାଦବ ଘରେ ଉପସ୍ଥିତ ଥିବା ରିପୋର୍ଟରୁ ଜଣା ପଡ଼ିଛି। ତେବେ ସେକ୍ଟର ୫୬ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଜାରି ରଖିଥିବା ଜଣା ପଡ଼ିଛି। ଆକ୍ରମଣ ସମୟରେ କେୟାରଟେକର ଭାବରେ କାମ କରୁଥିବା ବ୍ୟକ୍ତି ଭୟଭୀତ ହୋଇ ଭିତରକୁ ଦୌଡ଼ି ପଳାଇଥିଲେ ଓ ଘଟଣା ସମ୍ପର୍କରେ ଏଲଭିଶ ଯାଦବଙ୍କ ବାପାଙ୍କୁ ସୂଚନା ଦେଇଥିଲେ। ତିନି ଜଣ ଆକ୍ରମଣକାରୀ ବାଇକ୍ ରେ ଆସିଥିଲେ ଓ ଜଣେ ଆକ୍ରମଣକାରୀ ଅଳ୍ପ ଦୂରରେ ବାଇକ୍ ରେ ଥିଲେ ଓ ଅନ୍ୟ ଦୁଇ ଜଣ ଲଗାତାର ଗୁଳି ଚାଳନା କରୁଥିବା ତାଙ୍କ ବାପା କହିଥିଲେ। ଏଲଭିଶଙ୍କ ବାପା ପୋଲିସକୁ ତୁରନ୍ତ ସୂଚନା ଦେବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ତେବେ ଏଲଭିଶ ଯାଦବଙ୍କ ଘର କାନ୍ଥରେ ଗୁଳି ଚିହ୍ନ ଥିବା ବେଳେ ତାଙ୍କ ଘରେ ଲାଗିଥିବା ସିସିଟିଭିରେ ଦୁର୍ବୃତ୍ତମାନଙ୍କ ଫୋଟୋ କଏଦ ହୋଇଥିବା ପୋଲିସ କହିଛି। ବର୍ତ୍ତମାନ୍ ଏଲଭିଶ ଯାଦବଙ୍କ ଘରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଏଲଭିଶଙ୍କ ଘରେ ହୋଇଥିବା ଗୁଳିକାଣ୍ଡରେ କେଉଁ ଗ୍ୟାଙ୍ଗର ସମ୍ପୃକ୍ତି ଅଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୋଲିସ କହିଛି। ତେବେ ବିଗ୍ ବସ୍ କୁ ଯିବା ପରେ ଏଲଭିଶ ଯାଦବଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ଏଥିସହ ସେ ଅନେକ ବିବାଦରେ ମଧ୍ୟ ଜଡିତ ଥିବା ନେଇ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ