Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ପିନ୍ଧିଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ଜିତିବା ପରେ ମନିକା ବିଶ୍ୱକର୍ମା ନଭେମ୍ବରରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ।

ତେବେ ମନିକା ରାଜସ୍ଥାନର ଶ୍ରୀ ଗଙ୍ଗାନଗରର ବାସିନ୍ଦା ଓ ସେ ବର୍ତ୍ତମାନ ଦିଲ୍ଲୀରେ ରହୁଥିବା ନେଇ ରିପୋର୍ଟରୁ ଜଣା ପଡ଼ିଛି। ସେ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିରେ ଡିଗ୍ରୀର ଶେଷ ବର୍ଷର ଛାତ୍ରୀ ଅଟନ୍ତି।କେବଳ ଏତିକି ନୁହେଁ ସେ ପାଠପଢ଼ା ସହିତ ଶାସ୍ତ୍ରୀୟ ନୃତ୍ୟ ଏବଂ ଚିତ୍ରକଳାରେ ମଧ୍ୟ ପାରଙ୍ଗମ ଅଟନ୍ତି। ଏଥିସହିତ ସେ ବୈଦେଶିକ ମନ୍ତ୍ରଣାଳୟର BIMSTEC ସେଭୋକନ୍ ପ୍ରୟାସରେ ଭାରତକୁ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି ଓ ତାଙ୍କୁ ଲଳିତ କଳା ଏକାଡେମୀ ଏବଂ ଜେଜେ ସ୍କୁଲ ଅଫ୍ ଆର୍ଟସ୍ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି।

ସେ ସମାଜ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି।ତେବେ ସେ ନ୍ୟୁରୋନୋଭା ନାମକ ଏକ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି, ଯାହା ନ୍ୟୁରୋଡାଇଭରଜେନ୍ସ (ଯେପରିକି ADHD) ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରିଥାଏ। ତେବେ ଜୟପୁରରେ ଆୟୋଜିତ ଏକ ସମାରୋହ ରେ ତାଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ଦିଆଯାଇଥିଲା। ୨୦୨୪ର ବିଜେତା ରିଆ ସିଂହା ଏହି ମୁକୁଟ ତାଙ୍କୁ ପ୍ରଦାନ କରିଥିଲେ।

ତେବେ ଏହି ପ୍ରତିଯୋଗିତାରେ ଉତ୍ତର ପ୍ରଦେଶର ତାନ୍ୟା ଶର୍ମା ପ୍ରଥମ, ହରିୟାଣାର ମେହକ ଧିଙ୍ଗରା ଦ୍ୱିତୀୟ ଏବଂ ଆମିଷି କୌଶିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜିତ ହାସଲ କରିବା ପରେ, ମନିକା କହିଥିଲେ ଯେ ମୁଁ ଗଙ୍ଗାନଗରରୁ ଯାତ୍ରା ଆରମ୍ଭ କରି ଦିଲ୍ଲୀ ଆସି ଏଥି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି। ତେବେ ଏଥପାଇଁ ଆତ୍ମବିଶ୍ୱାସ ଏବଂ ସାହସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସେ କହିଥିଲେ। ଯେଉଁମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ପ୍ରତିଭା ଏବଂ ଆତ୍ମବିଶ୍ୱାସ ସହିତ ବର୍ତ୍ତମାନ୍ ସେ ମିସ୍ ୟୁନିଭର୍ସ ୨୦୨୫ରେ ଭାରତକୁ ପ୍ରତିନିଧିତ୍ଵ କରୁଥିବାରୁ ଗର୍ବିତ ବୋଲି ମଧ୍ୟ ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ